Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବାଘଲତ୍:ରାସ୍ତା ସାଜିଲା କାଳ,ଖଟରେ ବୁହାହୋଇ ଘରକୁ ଫେରିଲେ ରୋଗୀ

ସମ୍ବଲପୁର:ରାସ୍ତାର ଦୂରାବସ୍ଥା ଯୋଗୁଁ ରୋଗୀଙ୍କୁ ଅଧାବାଟରେ ଛାଡିଲା ଆମ୍ବୁଲାନ୍ସ।୩ କି.ମି ଦୂରକୁ ଖଟ ଭାରରେ ବୁହାହୋଇ ଘରକୁ ଫେରିଲେ ରୋଗୀ।ଏଭଳି ଦୂର୍ଦ୍ଦଶାର କରୁଣ ଚିତ୍ର ସାମ୍ନାକୁ ଆସିଛି ଜମନକିରା ବ୍ଲକରେ।ବର୍ଷା ଯୋଗୁଁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡିଥିବାରୁ ଏଭଳି ଏକ ଅଭାବନୀୟ ଘଟଣା ଏବେ ଏ ମୋବାଇଲରୁ ସେ ମୋବାଇଲକୁ ଡେଉଁଛି।
ଜଣେ ରୋଗୀଙ୍କୁ ଆମ୍ବୁଲାନ୍ସରେ ଅଣାଯାଇ ଅଧବାଟରେ ଛାଡି ଆମ୍ବୁଲାନ୍ସ ଫେରିଯିବାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ନିଜ ଘରକୁ ଗାଁ ଲୋକଙ୍କ ଦ୍ଵାରା ଖଟରେ ବୁହାହୋଇ ଘରକୁ ଫେରିଛି ରୋଗୀ।ଏହି କରୁଣ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ରେ ଭାଇରାଲ ହେବାରେ ଲାଗିଛି।
ଏଭଳି ସ୍ଥିତି ଦେଖିବାକୁ ମିଳିଛି ଜମନକିରା ବ୍ଲକ ଅନ୍ତର୍ଗତ ଖର୍ସନମାଲ ଗ୍ରାମପଞ୍ଚାୟତର ବାଗଲତ ଗ୍ରାମରେ।
ସୂଚନା ଅନୁସାରେ ବାଘଲତ୍ ଗ୍ରାମର ସ୍ବର୍ଗତ ଦସିଆ ଭୂୟାଁଙ୍କ ପୁଅ ଜୁନାସ ଭୂୟାଁ ଗତ ୪ ଦିନ ତଳେ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ରାୟପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଉକ୍ତ ଡାକ୍ତରଖାନାର ଏଜେଣ୍ଟଙ୍କ ଜରିଆରେ ଭର୍ତ୍ତି ହୋଇଥିଲେ। ତେବେ ଆଜି ଉକ୍ତ ଡ଼ାକ୍ତରଖାନାରୁ ଡିସଚାର୍ଚ ହୋଇ ପୁଣି ଆମ୍ବୁଲାନ୍ସ ଯୋଗେ ଘରକୁ ଫେରିଥିଲେ। ତେବେ ଆମ୍ବୁଲାନ୍ସଟି ଜୁନାସଙ୍କୁ ରାସ୍ତା ଖରାପ ଯୋଗୁଁ ତାଙ୍କ ଘର ଠାରୁ ୩ କିମି ଦୂର କାଣିବନ୍ଧଲି ଗ୍ରାମରେ ଛାଡ଼ିଦେଇ ଚାଲିଯାଇଥିଲା। ପରିବାର ଲୋକେ ଖବର ପାଇ ଏକ ଖଟ ସାହାଯ୍ୟରେ କାଣିବନ୍ଧଲି ରୁ ବାଘଲତ୍ ଗ୍ରାମକୁ ବୋହି ନେଇଥିଲେ।
ପ୍ରକାଶ ଯୋଗ୍ୟ ଯେ, ଉକ୍ତ ରାସ୍ତାଟି ପ୍ରତିବର୍ଷ ବର୍ଷା ଋତୁରେ ଦୁର୍ବିସହ ହୋଇ ପଡୁଥିବାବେଳେ, ଖର୍ସନମାଲ ଗ୍ରାମପଞ୍ଚାୟତ କିମ୍ବା ଜମନକିରା ବ୍ଲକ ପ୍ରଶାସନ ଏହି ରାସ୍ତାର ଉନ୍ନତିକରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି।କିମ୍ବା ପ୍ରୟାସ ବି କରିନାହାଁନ୍ତି।ସମ୍ୱଲପୁର ଜିଲ୍ଲା କିମ୍ବା ଓଡ଼ିଶାରେ ବର୍ତ୍ତମାନ ସ୍ଥିତିରେ ଛୋଟ ଛୋଟ ରୋଗ ମାନଙ୍କର ଚିକିତ୍ସାର ସୁବିଧା ପ୍ରାୟ ସବୁଠି ରହିଥିବା ବେଳେ, ଅଞ୍ଚଳରୁ ରୋଗୀମାନେ ଏଜେଣ୍ଟ ମାନଙ୍କର ଜରିଆରେ ଆମ ପଡୋଶୀ ରାଜ୍ୟ ଛତିଶଗଡ଼ର ବିଭିନ୍ନ ସହରର ବିଭିନ୍ନ ଘରୋଇ ଡ଼ାକ୍ତରଖାନାକୁ କାହିଁକି ଓ କେଉଁ ଚିକିତ୍ସା ପାଇଁ ଯାଉଛନ୍ତି, ତାହା ତଦନ୍ତ ସାପେକ୍ଷ ଅଟେ।
ତେବେ ଆଜିକାର ଘଟଣା ପରେ ଖର୍ସନମାଲ ଗ୍ରାମପଞ୍ଚାୟତର ଅନେକ ରାସ୍ତାର ଦୂରାବସ୍ଥା କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ, ବାଘଲତ୍ ରୁ କାଣିବନ୍ଦଲି ରାସ୍ତା ନିର୍ମାଣର ଆବଶ୍ୟକତା ରହିଥିବା ସ୍ପଷ୍ଟ ହୋଇଛି।ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ଗ୍ରାମାଞ୍ଚଳ ରାସ୍ତାର ଭାଗ୍ୟ କେବେ ଫିଟିବ ?