ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ, ୫ ଦିନ ପ୍ରବଳ ବର୍ଷା


ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ । ଉତ୍ତର ବଙ୍ଗୋପସାଗର ବାଂଲାଦେଶ ଉପକୂଳରେ କେନ୍ଦ୍ରୀଭୂତ । ଆସନ୍ତା ଦୁଇ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଏହା ଗତି କରିବ । ଏହାର ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଅନୁମାନ କରିଛି ପାଣିପାଗ କେନ୍ଦ୍ର । ଆଜିଠୁ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି ।
ଅନୁଗୁଳ, ଢେଙ୍କାନାଳ, ଯାଜପୁର, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଥିବା ବେଳେ ୫ ଦିନ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ମିଳିବନି । କିଛି ଜିଲ୍ଲାରେ ୨ ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ । ପ୍ରବଳ ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି କହିଛି ପାଣିପାଗ କେନ୍ଦ୍ର । ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା କରାଯାଇଛି ।