ଗ୍ରୀଷ୍ମ ଛୁଟିରେ ସ୍କୁଲ ବନ୍ଦ ହେଲେ ଅଙ୍ଗନବାଡି ଖୋଲା


ଭୁବନେଶ୍ୱର: ଖରାକୁ ଦୃଷ୍ଟିରେ ରଖି ସମୟ ପୂର୍ବରୁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । ହେଲେ ଖୋଲା ରହିବ ଅଙ୍ଗନବାଡି କେନ୍ଦ୍ର। ସବୁଦିନ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ସବୁ ଅଙ୍ଗନବାଡି ଖୋଲିବ । ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

ଗ୍ରୀଷ୍ମଲହରୀକୁ ଦେଖି ରାଜ୍ୟ ସରକାର ଏପ୍ରିଲ ୨୧ ତାରିଖରୁ ଗ୍ରୀଷ୍ମଛୁଟି ଘୋଷଣା କରିଥିଲେ ।  ପ୍ରଥମରୁ ଦ୍ୱାଦଶ ଯାଏ ସ୍କୁଲ ବନ୍ଦ ରହିବ ବୋଲି ସରକାର ସ୍ପଷ୍ଟ କରିଥିଲେ । ହେଲେ ଅଙ୍ଗନବାଡି କେନ୍ଦ୍ରରେ ଗ୍ରୀଷ୍ମ ଛୁଟି ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦେଖା ରହିଥିଲା।

ଏ ନେଇ ମହିଳା ଓ ଶିଶୁ ବିକାଶ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି। ସମସ୍ତ ଅଙ୍ଗନବାଡି କେନ୍ଦ୍ର ପୂର୍ବରୁ ଜାରି ହୋଇଥିବା ଗ୍ରୀଷ୍ମ ପ୍ରବାହ ଗାଇଡ୍‌ଲାଇନ୍‌ ଅନୁଯାୟୀ ପାଳନ କରାଯିବ। ସକାଳ ୭ଟାରୁ ୧୦ଟା ଯାଏ କେନ୍ଦ୍ର ଖୋଲିବ । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାପାଳମାନେ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ ସମୟରେ ଆବଶ୍ୟକ ପରିବର୍ତ୍ତନ ଆଣି ପାରନ୍ତି ବୋଲି ଏହି ରିଲିଜରେ କୁହାଯାଇଛି ।