ସମ୍ବଲପୁର-ରାୟପୁର ଭାୟା ନୂଆପଡା ବିକଳ୍ପ ରେଲ ସଂଯୋଗ ପାଇଁ ଶେଷ ପର୍ଯ୍ୟାୟରେ ସର୍ବେକ୍ଷଣ

ସମ୍ବଲପୁର:ସମ୍ବଲପୁର – ବରଗଡ଼ -ନୂଆପଡା ଦେଇ ସମ୍ବଲପୁର – ରାୟପୁର ମଧ୍ୟରେ ବିକଳ୍ପ ସିଧାସଳଖ ରେଳ ସଂଯୋଗ ସ୍ଥାପନ ଦିଗରେ ଅନ୍ତିମ ସର୍ବେକ୍ଷଣ କାର୍ଯ୍ୟ ଆଗେଇ ଚାଲିଛି । ଅଗଷ୍ଟ ମାସ ଶେଷସୁଦ୍ଧା ଏ କାମ ସରିବାକୁ ଯାଉଛି । ରେଳପଥ ସ୍ଥାପନ ସକାଶେ ଚୂଡାନ୍ତ ପର୍ଯ୍ୟାୟରେ ଏବେ ଆବଶ୍ୟକ ସ୍ଥାନରେ ପୋଲ ନିର୍ମାଣ ପାଇଁ ମୃତ୍ତିକା ପରୀକ୍ଷା କରାଯାଉଛି ।
ଏସ. ଏମ. କନସିଟେଲସି ନାମକ ସଂସ୍ଥା ପ୍ରଥମେ ଉପଗ୍ରହ ଚିତ୍ର ଓ ପରେ ଡ୍ରୋନ ସାହାଯ୍ୟରେ ଉର୍ଦ୍ଧ୍ବରୁ ଚିତ୍ର ସଂଗ୍ରହ କରିବା ପରେ ଭୂମାର୍ଗରେ ସର୍ବେକ୍ଷଣ ଆରମ୍ଭ କରିଥିଲା । ଏଥିପାଇଁ ଦୁଇଟି ଦଳ ନିୟୋଜିତ ହୋଇଛନ୍ତି। ଗୋଟିଏ ଦଳ ଓଡ଼ିଶା ଏବଂ ଅନ୍ୟ ଦଳଟି ଛତିଶଗଡ଼ରେ ସର୍ବେକ୍ଷଣ କାର୍ଯ୍ୟ ଚଳାଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବରଗଡ଼ – ନୂଆପଡ଼ା ରେଳପଥ ପାଇଁ ୯୦ ଦଶକରେ ଦାବି ଉଠିଥିଲା । ବହୁବାର ଦାବି ଉଠାଇବା ପରେ ରେଳବାଇ ବଜେଟରେ ସର୍ଭେ ପାଇଁ ବ୍ୟବସ୍ଥା କରାଯାଇଥିଲା । ମାତ୍ର ଏ ଦିଗରେ ବିଶେଷ ଉପଲବ୍ଧି ହାସଲ କରାଯାଇ ନ ଥିଲା । ରେଳ ଧାରଣା ସ୍ଥାପନ ହେବ ନାହିଁ, ଏ ଦିଗରେ ସରକାର ଆଗ୍ରହୀ ନ ଥିବା ହୃଦବୋଧ ହେଉଥିଲା । ତେବେ ସମ୍ବଲପୁର ର ବିଭିନ୍ନ ସଙ୍ଗଠନ ଏବଂ ରାୟପୁର- ବରଗଡ଼ ରେଳ ଲାଇନ୍ ପ୍ରତିଷ୍ଠା ସମିତି, ସରାଇପାଲି ଦ୍ବାରା ବାରମ୍ବାର ଦାବି ଉପସ୍ଥାପନ ଏବଂ ଦାବିପତ୍ର ପ୍ରଦାନ ଫଳରେ ରେଳମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଏ ଦିଗରେ ବାସ୍ତବବାଦୀ ପଦକ୍ଷେପ ଗ୍ରହଣ କରିଛନ୍ତି।