ନୂଆଦିଲ୍ଲୀ: ବାହାନଗାରୁ ରାଜଖରସୁଆଁ, ଦେଶରେ ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣାକୁ ନେଇ ବିରୋଧୀଙ୍କ ଟାର୍ଗେଟରେ କେନ୍ଦ୍ର ସରକାର । ଆଖିଳେଶଙ୍କଠାରୁ ମମତା ଏବଂ ପ୍ରିୟଙ୍କା ପ୍ରାୟ ସବୁ ବିରୋଧୀ ଦଳଙ୍କ କେନ୍ଦ୍ରକୁ ଟାର୍ଗେଟ । ରେଳମନ୍ତ୍ରୀଙ୍କୁ ରିଲି ମିନିଷ୍ଟର କହି କଟାକ୍ଷ କରିଛନ୍ତି ବିରୋଧୀ ।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ସେମାନେ (କେନ୍ଦ୍ର ସରକାର) ପ୍ରଶ୍ନପତ୍ର ଲିକରେ ରେକର୍ଡ କରିଥିଲେ । ବର୍ତ୍ତମାନ ରେଳ ଦୁର୍ଘଟଣାରେ ରେକର୍ଡ କରୁଛନ୍ତି । ସରକାର କେବଳ ବଡ଼ ବଡ଼ କଥା କହୁଛନ୍ତି। ଲୋକଙ୍କ ଜୀବନ ଯାଉଛି । ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନହେବ, ସେଥିପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।
ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏହିପରି ଆଉ କେତେ ଦିନ ଚାଲିବ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ରେଳ ଦୁର୍ଘଟଣା ନିତିଦିନିଆ ହୋଇଗଲାଣି, ଆମେ ଆଉ କେତେ ଦିନ ଏପରି ଦେଖିବୁ ? ରେଳ ଦୁର୍ଘଟଣାକୁ ରୋକିବା ପାଇଁ ସରକାର କିଛି ବଡ଼ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ମମତା ପଚାରିଛନ୍ତି ।
ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ‘ରେଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବଢି ଚାଲିଛି । ଏତେ ଲୋକଙ୍କ ଜୀବନ ଯିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ଉତ୍ତରଦାୟୀ ନଥିବାରୁ ମୋତେ ଲାଗୁଛି ଝାଡ଼ଖଣ୍ଡରେ ଘଟିଖିବା ଦୁର୍ଘଟଣାର ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ । ସରକାର କେବଳ କ୍ଷତିପୂରଣ ଘୋଷଣା କରିଦେବେ ଓ ତଦନ୍ତର ପ୍ରତିଶୃତି ଦେବେ । ତା’ପରେ ଅନ୍ୟ ଏକ PR ଇନଷ୍ଟାଗ୍ରାମ ରିଲକୁ ଚାଲିଯିବେ ।’ ରେଳମନ୍ତ୍ରୀଙ୍କୁ କଟାକ୍ଷ କରି ‘ରିଲ୍ ମିନିଷ୍ଟର’ କହିବା ସହ ଲୋକମାନେ ଟ୍ରେନ ଶୌଚାଳୟରେ ଯାତ୍ରା କରୁଥିଲେ ବି ସରକାର ଏଥିପ୍ରତି କେମିତି ଲଜ୍ଜିତ ହେଉନାହାନ୍ତି ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି ।
ପ୍ରକାଶ ଥାଉକି ଆଜି ଝାଡ଼ଖଣ୍ଡର ରାଜଖରସୁଆଁରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍ଚ୍ୟୁତ୍ ହୋଇଛି । ଏଥିରେ ଦୁଇ ଜଣ ଓଡ଼ିଆ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ୨୦୨୩ରେ ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରି ଦେଇଥିଲା । ଏଥିରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ।