Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓଡ଼ିଶା ଗଠନ ପାଇଁ କଲ୍ୟାଣକାରୀ ବଜେଟ୍ –କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ତଥା ୨୦୨୪ – ୨୫ ଆର୍ଥିକ ବର୍ଷ ପାଇଁ ବିକଶିତ ଓଡ଼ିଶା ଗଠନ ଦିଗରେ ୨ ଲକ୍ଷ ୬୫ ହଜାର ୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିକଶିତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ଏହାକୁ ଏକ କଲ୍ୟାଣକାରୀ ବଜେଟ୍ ଭାବରେ ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଓଡ଼ିଶା ପାଇଁ ପ୍ରାୟ ୧୫ ପ୍ରତିଶତ ଅଧିକ ବଜେଟ୍ ଆଗତ ହୋଇଥିବା ବେଳେ ଏହି ଅର୍ଥ ଓଡ଼ିଶାବାସୀଙ୍କ ସ୍ୱାର୍ଥ, ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବ । ବିକଶିତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ବେଶ୍ ସହାୟକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ‘ସବକା ସାଥ୍ – ସବକା ବିକାଶ’ ମନ୍ତ୍ରରେ ସବୁ ବର୍ଗ ବିଶେଷ ଭାବରେ ଗରିବ, ଚାଷୀ, ଯୁବ, ମହିଳା, ପଛୁଆ ବର୍ଗ, ଜନଜାତି ବର୍ଗର ଉନ୍ନତିକୁ ଧ୍ୟାନରେ ରଖି ବଜେଟ୍ ଆଗତ କରାଯିବା ସହ ଓଡ଼ିଆ ଅସ୍ମିତାକୁ ପ୍ରଧାନ୍ୟ ଦିଆଯାଇଛି ।ରାଜ୍ୟରେ କୃଷି କ୍ଷେତ୍ରର ବିକାଶ ପାଇଁ ୩୩,୯୧୯ କୋଟି, ଧାନର ଏମଏସପି ୩୧୦୦ ଟଙ୍କାକୁ ବୃଦ୍ଧି ସହ ‘ସମୃଦ୍ଧ କୃଷକ ଯୋଜନା’ ଚାଷ ଓ ଚାଷୀଙ୍କ ମେରୁଦଣ୍ଡକୁ ସଶକ୍ତ କରିବ । ପାନୀୟ ଜଳ ଯୋଗାଣ ନିମନ୍ତେ ୮ ହଜାର କୋଟି ଟଙ୍କା ରାଜ୍ୟରେ ଜଳ ସମସ୍ୟାକୁ ଦୂର କରିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିକାଶ ପାଇଁ ୨୧,୨୦୦ କୋଟି, ଆୟୁଷ୍ମାନ ଭାରତ ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ ହୋଇଛି । ଶିକ୍ଷା କ୍ଷେତ୍ର ଲାଗି ୩୫ ହଜାର ୫୩୬ କୋଟି ଟଙ୍କା, ପିଏମ ଶ୍ରୀ ଯୋଜନାର କ୍ରିୟାନ୍ୱୟନ, ସ୍କୁଲ ଡ୍ରପ ଆଉଟ ହାରକୁ ରୋକିବା ପାଇଁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନାର କାର୍ଯ୍ୟକାରୀ ହେବା ପ୍ରଶଂସନୀୟ । ସେହିପରି ନାରୀ ସଶକ୍ତିକରଣ ଦିଗରେ ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ବ୍ୟୟବରାଦ ସହ ରାଜ୍ୟରେ ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରାଯିବାର ଲକ୍ଷ୍ୟ ରହିଛି । ସାମାଜିକ ସୁରକ୍ଷା ଭତ୍ତା ୩,୫୦୦ ଟଙ୍କା ବୃଦ୍ଧି, ଜନଜାତିଙ୍କ ବିକାଶ ପାଇଁ ୬୩,୪୫୭ କୋଟି, କ୍ରୀଡା ଓ ଯୁବ ସେବା ପାଇଁ ୧୩୧୫ କୋଟି ଟଙ୍କା ଏବଂ ଭିତ୍ତିଭୂମି ବିକାଶ ପାଇଁ ୫୮ ହଜାର ୧୯୫ କୋଟି ଟଙ୍କା ପ୍ରସ୍ତାବ ସ୍ୱାଗତଯୋଗ୍ୟ । ଏହାବ୍ୟତିତ ଓଡ଼ିଶାକୁ ପର୍ଯ୍ୟଟନର ପେଣ୍ଠସ୍ଥଳୀ କରିବା ପାଇଁ ମୋଦୀ ସରକାର ଗୁରୁତ୍ୱ ଦେଉଥିବା ବେଳେ ମୋର ଅନୁରୋଧକୁ ରକ୍ଷା କରି ‘ରିଭରଫ୍ରଣ୍ଟ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ଯୋଜନାରେ ସମ୍ୱଲପୁର ଓ କଟକର ମହାନଦୀ କୂଳବର୍ତ୍ତୀ ଅଞ୍ଚଳକୁ ଗୁଜୁରାଟର ସାବରମତୀ ଭଳି ବିଶ୍ୱସ୍ତରୀୟ ରିଭର ଫ୍ରଣ୍ଟ ପ୍ରକଳ୍ପରେ ପରିଣତ କରିବା ପାଇଁ ୫୦ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି । ଏହା ଦ୍ୱାରା ସମ୍ବଲପୁର ସାଂସ୍କୃତିକ ଓ ଅର୍ଥନୈତିକ କାର୍ୟ୍ୟଟର କେନ୍ଦ୍ରବିନ୍ଦୁ ହୋଇପାରିବ । ଉଲ୍ଲେଖନୀୟ ଯେ, ନିକଟରେ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ପତ୍ର ଲେଖି ସାବରମତୀ, କାଶୀ ଓ ବାରାଣାସୀ ଭଳି ସମ୍ବଲପୁରର ପୁରୁଣା ଅଯୋଧ୍ୟା ସରୋବରକୁ ‘ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ଅଧୀନରେ ବିକଶିତ କରିବା ପାଇଁ ପତ୍ର ଲେଖିଥିଲେ ।ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବିଜେପି ସର୍ବଦା ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇ ଆସିଛି । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ଓଡ଼ିଶା ବଜେଟରେ ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବ୍ୟୟବରାଦ ହୋଇଛି । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା, ଜିଲ୍ଲାସ୍ତରୀୟ ଇ-ପାଠାଗାର ପ୍ରତିଷ୍ଠାନ ଆଦି ପାଇଁ ଏହି ଅର୍ଥ ଉପଯୋଗ କରାଯିବା ପ୍ରଶଂସନୀୟ । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ପ୍ରସ୍ତାବ ରଖିଥିବାରୁ ମୋହନ ମାଝୀଙ୍କ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।