Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସବୁ ସଂଗଠନର ଗୋଟିଏ ସ୍ୱର,ବହିଦାର୍ ଙ୍କ ଆବାସର ଜୀର୍ଣ୍ଣୋଦ୍ଧାର ହୋଇ ହେଉ ସ୍ମୃତି ପାଠାଗର-ଗବେଷଣାଗାର

ସମ୍ବଲପୁର:ସମ୍ବଲପୁର ସ୍ଥିତ ସତ୍ୟନାରାୟଣ ବହିଦାରଙ୍କ ଆବାସର ଜୀର୍ଣ୍ଣୋଦ୍ଧାର କରି ଏଠାରେ ସତ୍ୟନାରାୟଣ ବହିଦାର ସ୍ମୃତି ପାଠାଗାର ଓ ସମ୍ବଲପୁରୀ ଭାଷା-ସାହିତ୍ୟ ଗବେଷଣାଗାର ପ୍ରତିଷ୍ଠା ସକାଶେ ସମ୍ବଲପୁର ର ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି।
ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ଆଜି ପୂର୍ବାହ୍ନରେ ତାଙ୍କ ରାମଜୀ ଗୁଡ଼ି ଜୀର୍ଣ୍ଣ ଆବାସ ସମ୍ମୁଖରେ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସତ୍ୟନାରାୟଣ ଠାକୁରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସତ୍ୟ ନାରାୟଣ ବହିଦାର କଟାଇଥିବା ଘରର ଜୀର୍ଣ୍ଣୋଦ୍ଧାର ଏପର୍ଯ୍ୟନ୍ତ ହୋଇପାରି ନ ଥିବାରୁ କ୍ଷୋଭ ପ୍ରକଟ କରାଯାଇଛି। ତେବେ ଏ ଦିଗରେ ବର୍ତ୍ତମାନର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ପ୍ରସ୍ତାବ ଗ୍ରହଣ ସହ ଦୀପକ କୁମାର ପଣ୍ଡା ଓ ସତ୍ୟନାରାୟଣ ଠାକୁରଙ୍କ ଆବାହକତ୍ବରେ ଏକ କମିଟି ଗଠନ କରାଯାଇଛି। ସରକାର ତ୍ୱରିତ ବେଗରେ ଏ ଦିଗରେ ପଦକ୍ଷେପ ନେବେ ବୋଲି ଆସ୍ଥା ପ୍ରକଟ କରାଯାଇଛି। ସମ୍ବଲପୁରୀକୁ ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ଏବଂ ରାଜ୍ୟର ଦ୍ଵିତୀୟ ଭାଷାର ମର୍ଯ୍ୟାଦା ଦେବା ପାଇଁ ଦାବି କରାଯାଇଛି।
ସତ୍ୟନାରାୟଣ ବହିଦାର ଗ୍ରନ୍ଥାବଳୀର ପୁନଃ ମୁଦ୍ରଣ ପାଇଁ ଓଡ଼ିଶା ସାଂସ୍କୃତିକ ସମାଜ ପଦକ୍ଷେପ ନେଇଥିବାରୁ ସାଧୁବାଦ ଜଣାଇବା ସହିତ ଏଥିପାଇଁ ଆର୍ଥିକ ସାହାଯ୍ୟ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ସତ୍ୟନାରାୟଣ ବହିଦାର ଜୟନ୍ତୀ ଅବସରରେ ପାଳନ କରାଯାଉଥିବା ସମ୍ବଲପୁରୀ ଦିନ ସକାଶେ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଏ ଅବସରରେ ବାର୍ତ୍ତା ଦେଇଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ସମ୍ବଲପୁରୀ ବସ୍ତ୍ର ବାବଦରେ ଉଲ୍ଲେଖ କରିଥିବା ହେତୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।
ଓଡ଼ିଶା ସାଂସ୍କୃତିକ ସମାଜର ସଭାପତି ଡ. ପରେଶ ଚନ୍ଦ୍ର ଦାନୀ, ସମ୍ପାଦକ ଦୀନବନ୍ଧୁ ପଣ୍ଡା, ହୀରାଖଣ୍ଡ ସାମ୍ମୁଖ୍ୟର ସଭାପତି ରାମାନୁଜ ପଣ୍ଡା, ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦର ପ୍ରଶାନ୍ତ ପାଟ୍ଟଯୋଷୀ, ପ୍ରଫୁଲ୍ଲ ହୋତା, ଜୁହାର ପରିବାରର ପ୍ରଫୁଲ୍ଲ ଦାଶ, ପଶ୍ଚିମାଞ୍ଚଳ ଏକତା ମଞ୍ଚର , ସିଦ୍ଧେଶ୍ୱରୀ ଧର୍ମ ସଂସଦର ଗୋପୀନାଥ ଷଡ଼ଙ୍ଗୀ, ନାଟ୍ୟ କଳା ପରିଷଦର ଅଶୋକ ମିଶ୍ର, ସୃଜନୀର ଦୀପକ କୁମାର ପଣ୍ଡା, ବୋଧରାମ ଦାଶ, ସୁରେଖା ସାହୁ, ପଙ୍କଜିନୀ ମେହେର, ସ୍ଥାନୀୟ ମହିଳା ସଙ୍ଗଠନର ଜାମିନୀ ଠାକୁର, ପୂର୍ବତନ କାଉନସିଲର ସୁଶାନ୍ତ ପୁରୋହିତ, ଲଳିତ ବେବର୍ତ୍ତା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।