ମହା ହ୍ୟାଟ୍ରିକର ନିକଟତର ମନୁ ଭାକର, ଏହି ବର୍ଗରେ ଜିତାଇବେ ସ୍ୱର୍ଣ୍ଣ !


ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ମନୁ ଭାକର ଏକ ତାରକା ଆଥଲେଟ୍ ଭାବେ ଆବିର୍ଭାବ ହୋଇଛନ୍ତି । ସେ ଗୋଟିଏ ପରେ ପରେ ଗୋଟିଏ ଅଲିମ୍ପିକ୍ସ ପଦକ ଜିତି ଇତିହାସ ପୃଷ୍ଠାରେ ନିଜର ନାମ ଲିପିବଦ୍ଧ କରିଛନ୍ତି । ଏବେ ମନୁ ଭାକରଙ୍କ ନିକଟରେ ସ୍ୱର୍ଣ୍ଣ ପଦକ ଜିତିବାର ସୁଯୋଗ ରହିଛି ।

ମନୁ ଭାକର ଆଜି ମହିଳା ୨୫ ମିଟର ମିସ୍ତଲ ଫାଇନାଲରେ ପ୍ରବେଶ କରିଛନ୍ତି । ମନୁ ମୋଟ୍ ୫୯୦ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଇଶା ସିଂ ନିରାଶ କରିଛନ୍ତି । ସେ ୧୮ତମ ସ୍ଥାନରେ ରହି ବାଦ୍ ପଡିଛନ୍ତି । ଆସନ୍ତାକାଲି ଭାରତୀୟ ସମୟ ଅପରାହ୍ଣ ୧ଟାରେ ଫାଇନାଲ୍ ମୁକାବିଲା ଖେଳାଯିବ ।

ମନୁ ପ୍ୟାରିସ ଅଲିମ୍ପିକ୍ସ କ୍ରୀଡାରେ ଭାରତ ପାଇଁ ଅଦ୍ଭୁତପୂର୍ବ ତୃତୀୟ ପଦକ ଆଡକୁ ଆଉ ପାଦେ ଆଗେଇ ଶୁକ୍ରବାର ସୁଟିଂର ୨୫ ମିଟର ମହିଳା ପିସ୍ତଲ ବର୍ଗର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ମନୁ ପ୍ରେସିଜନରେ ୨୯୪ ଓ ରାପଡିରେ ୨୯୬ ଅଙ୍କ ସହିତ ମୋଟ୍ ୫୯୦ ପଏଣ୍ଟ ହାସଲ କରି କ୍ୱାଲିଫିକେସନର ଦ୍ୱିତୀୟ ସ୍ଥାନ ହାସଲ କରି ଫାଇନାଲରେ ପ୍ରବେଶ କରିଛନ୍ତି ।

ମନୁ ପ୍ରିସିଜନ ଗସ୍ତରେ ୧୦-୧୦ ଚିହ୍ନର ତିନୋଟି ସିରିଜରେ କ୍ରମଶଃ ୯୭, ୯୮ ଓ ୯୯ ପଏଣ୍ଟ ସଂଗ୍ରହ କରିଥିଲେ । ରାପିଡ ସିିରିଜରେ ୧୦୦, ୯୮ ଓ ୯୮ ପଏଣ୍ଟ ହାସଲ କରିଥିଲେ । ଏହି ଦମଦାର ପ୍ରଦର୍ଶନ ବଳରେ ସେ ଫାଇନାଲରେ ପ୍ରବେଶ କରିଛନ୍ତି ।

ଏହା ପୂର୍ବରୁ ମନୁ ଭାକର ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି । ସେ ୧୦ ମିଟର ଏୟାର ପିସ୍ତଲରେ କାଂସ୍ୟ ଓ ସରବଜୋତ ସିଂଙ୍କ ସହ ମିଶ୍ରିତ ବର୍ଗରେ କାଂସ୍ୟ ଜିତିଥିଲେ ।