Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୱାଇବି ଖୁରାନିଆ ହେବେ ରାଜ୍ୟର ନୂଆ ପୁଲିସ ଡିଜି ! କେନ୍ଦ୍ର କ୍ୟାବିନେଟ୍ କମିଟିରେ ବାଜିଲା ମୋହର

ଭୁବନେଶ୍ୱର: ରାଜ୍ୟର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ କିଏ ହେବେ ତାକୁ ନେଇ ଲାଗି ରହିତିବା କଳ୍ପନାଜଳ୍ପନା ଉପରେ ପୂର୍ଣ୍ଣଛେଦ ପଡିଛ । ୧୯୯୦ ବ୍ୟାଚ୍ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ ହେବେ ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି । ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ଆଜି ତାଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡ଼ରକୁ ଫେରାଇ ଦେବାପରେ ଖୁରାନିଆଙ୍କ ରାଜ୍ୟର ନୂଆ ପୋଲିସ ଡିଜି ହେବେ ବୋଲି ପ୍ରାୟତଃ ସ୍ପଷ୍ଟ ହୋଇଛି । ଏବେ ରାଜ୍ୟରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀ ଅସ୍ଥାୟୀ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି ।

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜୁଲାଇ ୨୬ ତାରିଖର ପ୍ରସ୍ତାବ ଆଧାରରେ ବିଏସଏଫ ସ୍ପେଶାଲ ଡିଜି ୧୯୯୦ ବ୍ୟାଚ୍ ଆଇପିଏସ୍ ଖୁରାନିଆଙ୍କୁ ତତ୍କାଳ ପ୍ରଭାବରୁ ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେବା ପାଇଁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ କରିଛନ୍ତି। ଖୁରାନିଆଙ୍କ କେନ୍ଦ୍ରୀୟ ଡେପୁଟେସନକୁ ଆଗୁଆ ସମାପ୍ତ କରି ଓଡ଼ିଶା ଫେରାଇ ଦିଆଯାଇଥିବାରୁ ସେ ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି ।

ଖୁରାନିଆ ଗତ ୨୦୨୧ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସେ ଭୁବନେଶ୍ୱର-କଟକ କମିଶନରେଟ ପୁଲିସର କମିଶନର ଓ ନୟାଗଡ଼, ରାଉରକେଲା,ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୋଲିସ ଏସପି ଭାବେ କାର୍ଯ୍ୟ କରିଛନ୍ତି । ସେ ଉତ୍ତରାଂଚଳ ଓ ଦକ୍ଷିଣାଂଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ ।

ଉଲ୍ଲେଖଯୋଗ୍ୟ, ୧୯୯୦ ବ୍ୟାଚର ଅରୁଣ ଷଡ଼ଙ୍ଗୀଙ୍କୁ ରାଜ୍ୟର ତତକାଳୀନ ବିଜେଡି ସରକାର ଗତ ଡିସେମ୍ବର ୩୧ରୁ ରାଜ୍ୟ ପୁଲସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ । ଏବେ ମୋହନ ମାଝୀଙ୍କ ସରକାର ଦେଢ଼ମାସରୁ ଅଧିକ ଅବଧି ଧରି କ୍ଷମତାସୀନ ଥିଲେ ମଧ୍ୟ ଶ୍ରୀ ଷଡ଼ଙ୍ଗୀଙ୍କ ନିଯୁକ୍ତିକୁ ସ୍ଥାୟୀ କରିବା ଦିଗରେ ଆଗ୍ରହ ଦେଖାଇନଥିଲେ । ତେଣୁ ଅରୁଣ ଷଡଙ୍ଗୀଙ୍କ ଡିଜି ଭାବେ କାର୍ଯ୍ୟକାଳ ବଢିବା ସମ୍ଭାବନା କମ ଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ