ହ୍ୟାଟ୍ରିକ ପଦରୁ ବଞ୍ଚିତ ହେଲେ ମନୁ ଭାକର, ଚତୁର୍ଥ ସ୍ଥାନରେ ରହି ଶେଷ କଲେ ପ୍ୟାରିସ ଅଭିଯାନ


ପ୍ୟାରିସ: ମହା ହ୍ୟାଟ୍ରିକରୁ ବ ଞ୍ଚିତ ହେଲେ ସୁଟର ମନୁ ଭାକର । ୨୫ ମିଟର ଏୟାର ପିସ୍ତଲରେ ଆଜି ଖେଳା ଯାଇଥିବା ଫାଇନାଲରେ ମନୁ ଚତୁର୍ଥ ସ୍ଥାନରେ ରହି ତୃତୀୟ ପଦକ ଜିତିବାରୁ ବଞ୍ଚିତ ହୋଇଛନ୍ତି । ଏହା ସହିତ ଦେଶକୁ ତୃତୀୟ ସ୍ୱର୍ଣ୍ଣ ପଦକ ଜିତାଇବାରେ ସେ ବିଫଳ ହୋଇଛନ୍ତି । ଏହା ସତ୍ତ୍ୱେ ସେ ସଭିଙ୍କ ହୃଦୟ ଜିଣି ନେଇଛନ୍ତି । ଏହା ପୂର୍ବରୁ ମନୁ ଭାକର ଚଳିତ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଦେଶ ପାଇଁ ଇତିହାସ ରଚି ସାରିଛନ୍ତି । ତେବେ ଏହି ବର୍ଗରେ ଆଜି ସେ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ଦେଶବାସୀଙ୍କ ଆଶା ରହିଥିଲା । ଚତୁର୍ଥ ସ୍ଥାନରେ ରହି ସମ୍ମାନ ଏବଂ ଗୌରବର ସହ ପ୍ୟାରିସ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି ମନୁ ଭାକର ।

ଆଜିର ମ୍ୟାଚରେ ଆଠ ସିରିଜ ପରେ ମନୁ ଓ ହଙ୍ଗେରୀର ଭୋରୋନିକା ମେଜରଙ୍କ ସହ ସମାନ ପଏଣ୍ଟ ଥିଲା । ପୁଣି ସୁଟଅଫ ମୁକାବିଲା ଖେଳାଗଲା, ଯେଉଁଥିରେ ମନୁଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି । ମନୁ ଚଳିତ ଅଲିମ୍ପିକ୍ସରେ ତିନୋଟି ମେଡାଲ ଇଭେଣ୍ଟର ଫାଇନାଲରେ ପହଞ୍ଚିଥିଲେ । ଏଥିରୁ ଦୁଇଟି ଇଭେଣ୍ଟରେ ସେ ପଦକ ଜିତିଥିଲେ । ସେ ତୃତୀୟ ପଦକ ପାଇ ନ ଥିଲେ ବି ସମଗ୍ର ଭାରତୀୟଙ୍କୁ ଗର୍ବିତ କରାଇଛନ୍ତି.

ଏହି ପ୍ରତିଯୋଗିତାରେ ଦକ୍ଷିଣ କୋରିଆର ଜିନ ୟାଙ୍ଗ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଫ୍ରାନ୍ସର କେମିଲି ଜେଦ୍ରଜେବସ୍କି ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଓ ହଙ୍ଗେରୀର ଭୋରୋନିକା ମେଜର କାଂସ୍ୟ ପଦକ ଜିତିଛନ୍ତି ।

ମନୁ ପ୍ୟାରିସ ଅଲିମ୍ପିକ୍ସ କ୍ରୀଡାରେ ଭାରତ ପାଇଁ ଅଦ୍ଭୁତପୂର୍ବ ତୃତୀୟ ପଦକ ଆଡକୁ ଆଉ ପାଦେ ଆଗେଇ ଶୁକ୍ରବାର ସୁଟିଂର ୨୫ ମିଟର ମହିଳା ପିସ୍ତଲ ବର୍ଗର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ମନୁ ପ୍ରେସିଜନରେ ୨୯୪ ଓ ରାପଡିରେ ୨୯୬ ଅଙ୍କ ସହିତ ମୋଟ୍ ୫୯୦ ପଏଣ୍ଟ ହାସଲ କରି କ୍ୱାଲିଫିକେସନର ଦ୍ୱିତୀୟ ସ୍ଥାନ ହାସଲ କରି ଫାଇନାଲରେ ପ୍ରବେଶ କରଥିଲେ ।

ଏହା ପୂର୍ବରୁ ମନୁ ଭାକର ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି । ସେ ୧୦ ମିଟର ଏୟାର ପିସ୍ତଲରେ କାଂସ୍ୟ ଓ ସରବଜୋତ ସିଂଙ୍କ ସହ ମିଶ୍ରିତ ବର୍ଗରେ କାଂସ୍ୟ ଜିତିଥିଲେ ।