Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାର୍କେଟିଂ ବ୍ୟବସ୍ଥା ସୁଦୃଢ ହେଲେ ଚାଷୀ ଉପକୃତ ହେବେ: ପଞ୍ଚାୟତ ସମିତି ବୈଠକରେ କହିଲେ ମନ୍ତ୍ରୀ ରବି ନାଏକ 

ସମ୍ବଲପୁର/କୁଚିଣ୍ଡା:କୃଷି ଓ ଉଦ୍ୟାନକୃଷି ପାଇଁ ମାର୍କେଟିଂ ବ୍ୟବସ୍ଥା ସୁଦୃଢ ହେଲେ ଯାଇ ଚାଷୀ ଉପକୃତ ହୋଇ ପାରିବେ।ଏଥିପାଇଁ ବିଭାଗୀୟ ଅଧିକାରୀ ଗଠନ ମୂଳକ ପ୍ରସ୍ତାବ ରଖିବାକୁ କୁଚିଣ୍ଡା ପଞ୍ଚାୟତ ସମିତି ବୈଠକରେ ଯୋଗଦେଇ ରାଜ୍ଯ ଗ୍ରାମ୍ଯ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ  କହିଛନ୍ତି।
ସେ ଆହୁରି କହିଛନ୍ତି ଯେ,ଓରମାସ ତରଫରୁ ବିଭିନ୍ନ ଯୋଜନା କାର୍ଯ୍ଯକାରୀ ହେଉଥିବା ବେଳେ ପ୍ରକୃତରେ କେତେକ ସ୍ଥାନରେ କ୍ଲଷ୍ଟର ଖୋଲା ଗଲେ ଚାଷୀମାନେ ସୁବିଧାରେ ନିଜ ଉତ୍ପାଦିତ ଦ୍ରବ୍ଯ କିଣାବିକା କରି ପାରିବେ।କୁଚିଣ୍ଡା ବ୍ଲକରେ ବହୁଳ ପରିମାଣରେ ଆମ୍ବ ଚାଷ ହେଉଥିବା ସ୍ଥଳେ ମଣ୍ଡି ବ୍ୟବସ୍ଥା ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି।ତେଣୁ ଆମ୍ବ ମଣ୍ଡି ଖୋଲିବା ପ୍ରସ୍ତାବ ଉଦ୍ୟାନ କୃଷି ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।ପଞ୍ଚାୟତ ସମିତି ଅଧ୍ୟକ୍ଷ ଭୁବନେଶ୍ୱର କିଷାନଙ୍କ ସଭାପତିତ୍ବରେ ହୋଇଥିବା କୁଚିଣ୍ଡା ପଞ୍ଚାୟତ ସମିତିର ପଞ୍ଚମ ବୈଠକରେ ବିଡିଓ ନିରଞ୍ଜନ କୁମାର ସା ସ୍ୱାଗତ ଭାଷଣ ଦେଇଥିଲେ।ଶିକ୍ଷା ବିଭାଗ ଆଲୋଚନାରେ ମନ୍ତ୍ରୀ ନାଏକ ଅଂଶଗ୍ରହଣ କରି କହିଥିଲେ ଯେ ନିଜ ଅଞ୍ଚଳର ଶିକ୍ଷାର ଗୁଣାତ୍ମକ ମାନ ଯେଭଳି କାର୍ଯ୍ୟକାରୀ ହୋଇ ପାରିବ ତାର ତଦାରଖ କରିବାକୁ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ।ବୈଠକରେ କୃଷି ଓ ଉଦ୍ୟାନ କୃଷି,ଶିକ୍ଷା,ସ୍ଵାସ୍ଥ୍ଯ, ପାନୀୟଜଳ ଓ ପରିମଳ,ସାଧାରଣ ବଣ୍ଟନ ବ୍ୟବସ୍ଥା,ମହିଳା ଓ ଶିଶୁ ବିକାଶ, କ୍ଷୁଦ୍ର ଜଳସେଚନ ଓ ଉଠା ଜଳସେଚନ, ମତ୍ସ୍ଯ ଓ ପଶୁପାଳନ, ଅନୁସୂଚିତ ଜାତି ଓ ଜନଜାତି,ଜଙ୍ଗଲ, ଓଡିଶା ଜୀବିକା ମିଶନ, ମୃତ୍ତିକାସଂରକ୍ଷଣ, ବିଦ୍ୟୁତ, ଏମଜିଏନଆରଇଜିଏସ, ସାମାଜିକ ସୁରକ୍ଷା ଯୋଜନା ଆଦି ବିଷୟମାନ ଆଲୋଚନା ହୋଇଥିଲା।ଏଥିରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ରଶ୍ମିତା ନାଏକ,ଏପି ପ୍ରତିନିଧି ରୁଦ୍ରପ୍ରତାପ ଦେଓ, ଜିଲ୍ଲାପରିଷଦ ସଭ୍ଯ ଦିବ୍ୟରାଜ କିଷାନ ଓ ଅଜିତ ମହାପାତ୍ର, ତହସିଲଦାର ପ୍ରସନ୍ନ ଟେଟ,ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ଯଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।ଜିପିଡିଓ ମସ୍ତରାମ ପ୍ରଧାନ ପୂର୍ବ ବିବରଣୀ ପଠନ କରିଥିବା ବେଳେ, ଅତିରିକ୍ତ ବିଡିଓ ସହଦେବ ନନ୍ଦ ଧନ୍ୟବାଦ ଦେଇଥିଲେ।ହେଲେ ପୁର୍ବ ବିବରଣୀର କାର୍ଯ୍ୟଧାରାରେ ସେମିତି କିଛି ଫଳବ୍ରତୀ ହୋଇନଥିବା ସତ୍ତ୍ୱେ କୌଣସି ଜଣେ ଜନ ପ୍ରତିନିଧି ଏ ସଂପର୍କରେ ମୁହଁ ଖୋଲିନଥିବା ବୁଦ୍ଧିଜୀବୀ ମହଳରେ ବଡ ଚର୍ଚାର ବିଷୟ ହୋଇଛି।
                                     
                                     

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ