କ୍ଷମତା ବେଦଖଲ ପରେ ବାଂଲାଦେଶ ହାତରୁ ଖସିବ ଟି-୨୦ ବିଶ୍ୱକପ୍ ଆୟୋଜନ !


ନୂଆଦିଲ୍ଲୀ: ବାଂଲାଦେଶରେ କ୍ଷମତା ବେଦଖଲ ପରେ ସେଠାରେ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ପଦରୁ ଇସ୍ତଫା ଦେଇ ଦେଶରୁ ପଳାୟନ କରି ସାରିଛନ୍ତି । ଏବେ ଦେଶର ଶାସନଭାର ସେନା ହାତରେ ରହିଛି । ଦେଶରେ ହିଂସା ଓ ଅସ୍ଥିରତା ମଧ୍ୟରେ ବାଂଲାଦେଶରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ ୨୦୨୪ର ଆୟୋଜନ ନେଇ ଆଶଙ୍କା ଦେଖା ଦେଇଛି । ଟି-୨୦ ବିଶ୍ୱକପ୍ ଚଳିତ ବର୍ଷ ଅକ୍ଟୋବରରେ ହେବାର ଅଛି । ବାଂଲାଦେଶର ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ବିଶ୍ୱକପ୍ ଆୟୋଜନ ମୁସ୍କିଲ ଲାଗୁଛି ।

କ୍ରିକବଜର ରିପୋର୍ଟ ଅନୁସାରେ ଯଦି ବିଶ୍ୱକପ୍ ବାଂଲାଦେଶ ବାହାରେ ଆୟୋଜନ କରାଯାଏ ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କଥା ନାହିଁ । ଦେଶ ଏବେ ହିଂସାଗ୍ରସ୍ତ ଓ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିଛି । ଏହା ବ୍ୟତୀତ ଦେଶରେ ଇଣ୍ଟରନେଟ୍ ମଧ୍ୟ ବନ୍ଦ ରହିଛି ।

ଋିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଶୀଘ୍ର ଆଇସିସି ଏହା ଉପରେ ଶୀଘ୍ର ନିଷ୍ପତ୍ତି ନେଇପାରେ । ଏହା ସହ ଭାରତ ମହିଳା ବିଶ୍ୱକପ୍ ଆୟୋଜନ ନେଇ ପ୍ରବଳ ଦାବିଦାର ଭାବେ ସାମ୍ନାକୁ ଆସିଛି । ଶେଖ ସହିନା ବାଂଲାଦେଶରୁ ପଳାୟନ କରିବା ପରେ ଆଇସିସି ବାଂଲାଦେଶ କ୍ରିକେଟ୍ ବୋର୍ଡ, ଏହାର ସୁରକ୍ଷା ଏଜେନ୍ସି ଓ ନିଜର ସ୍ୱତନ୍ତ୍ର ସୁରକ୍ଷା ପରାମର୍ଶଦାତାଙ୍କ ସହ ସମନ୍ୱୟ ରଖି ଘଟଣା ଉପରେ ନଜର ରଖିଛି ।

କାର୍ଯ୍ୟସୂଚୀ ଅନୁସାରେ ଟି-୨୦ ବିଶ୍ୱକପ ପାଇଁ ବାଂଲାଦେଶର ଦୁଇଟି ଭେନ୍ୟୁ ନିର୍ଦ୍ଧାରିତ କରାଯାଇଥିଲା । ଦୁଇ ଭେନ୍ୟୁ ହେଉଛି ଢାକାର ଶେରେ ବାଂଲା ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ ଓ ସିଲହଟର ସିଲହଟ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ । ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୩ରୁ ୨୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏଥିରେ ମୋଟ୍ ୨୩ଟି ମ୍ୟାଚ୍ ସାମିଲ ।