ଜଳଖିଆ ଦୋକାନରେ ନାବାଳିକାଙ୍କୁ ଅସଦାଚରଣ କରି ନିର୍ଧୁମ ଛେଚା ଖାଇଲେ ଯୁବକ


ପରାଦୀପ: ଜଳଖିଆ ଦୋକାନରେ ୭ ବର୍ଷର ଶିଶୁକନ୍ୟାକୁ ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ନିର୍ଧୁମ ମାଡ଼ । ଏହାସହ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଜିମା ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ଏପରି ଘଟଣା ଘଟିଛି ପାରାଦୀପ ଲକ ଥାନା ଅଞ୍ଚଳରେ । ପରିବାର ଲୋକଙ୍କ ଲିଖିତ ଅଭିଯୋଗରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ଅଭିଯୁକ୍ତର ଘର ମାର୍ଶାଘାଇ ଥାନା ହଳଦିଆରେ ବୋଲି ଜଣାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଶିଶୁକନ୍ୟାଟି ନିଜ ଜେଜେଙ୍କ ସହ ଜଳଖିଆ ଖାଇବାକୁ ଦୋକାନକୁ ଆସିଥିଲା । ଦୋକାନର ବେଞ୍ଚରେ ବସି ଜଳଖିଆ ଖାଉଥିବା ବେଳେ ଜଣେ ଯୁବକ ମଧ୍ୟ ସେହି ବେଞ୍ଚରେ ବସି ଜଳଖିଆ ଖାଉଥିଲା । ଅଭିଯୁକ୍ତ ଜଣଙ୍କ ପ୍ରଥମେ ନାବାଳିକା ସହ କିଛି ସମୟ କଥା ହୋଇଥିଲା । ଏହାପରେ ଶିଶୁକନ୍ୟାଟିକୁ ଅଭିଯୁକ୍ତ ଜଣଙ୍କ ନିଜ କୋଳରେ ନେଇ ବସାଇଥିଲା । ଏଥିସହ ଯୁବକ ଜଣଙ୍କ ଶିଶୁକନ୍ୟାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ଜେଜେ ଏହା ଦେଖି ଜୋରରେ ପାଟି କରିଥିଲେ । ପରେ ସେଠାରେ ଥିବା ଲୋକେ ଅଭିଯୁକ୍ତକୁ ଘେରି ଯାଇ ନିର୍ଧୁମ ମାଡ଼ ମାରିବା ସହ ପୋଲିସ ଜିମା ଦେଇଥିଲେ । ପୋଲିସ ଉଭୟଙ୍କର ଡାକ୍ତରୀମାଇନା କରିଥିବା ଜଣାଯାଇଛି ।