ଭିିନେଶ ଫୋଗାଟ୍ ଖେଳି ପାରନ୍ତି ଅଲିମ୍ପିକ୍ସ ୨୦୨୮ ! ମହାବୀର ଫୋଗାଟ କହିଲେ- ଘରକୁ ଆସିଲେ କଥା ହେବି


ଭୁବନେଶ୍ୱର: ପ୍ୟାରିସ ଅଲିମ୍ପିକ୍ସରେ କୁସ୍ତିର ୫୦ କିଲୋଗ୍ରାମ ବର୍ଗରେ ୧୦୦ ଗ୍ରାମ ଅଧିକ ଓଜନ କାରଣରୁ ଅଯୋଗ୍ୟ ହେବା ପରେ ଆଜି କୁସ୍ତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଭିନେଶ ଫୋଗାଟ । ତାଙ୍କର ଏହି ଘୋଷଣାରେ ପୁରା ଦେଶ ସ୍ତବ୍ଧ । ସେ ସାମାଜିକ ଗଣମାଧ୍ୟମରେ ଲେଖିଥିଲେ, ମାଆ କୁସ୍ତି ମୋଠୁ ଜିତି ଯାଇଛି ଏବଂ ମୁଁ ହାରି ଯାଇଛି । କ୍ଷମା କରିବେ ଆପଣଙ୍କ ସ୍ୱପ୍ନ ମୋର ସାହାସ ସବୁ ଭାଙ୍ଗି ସାରିଛି । ଏବେ ମୋ ପାଖରେ ଆଉ ଅଧିକ ଶକ୍ତି ନାହିଁ । ତାଙ୍କର ଏହି ଘୋଷଣା ପରେ ପ୍ରଶଂସକ ନିରାଶ ହୋଇଛନ୍ତି ଏବଂ ଏହି ରେସଲରକୁ ଆଉ ମଇଦାନରେ ଦେଖିବାକୁ ପାଇବେ ନାହିଁ ବୋଲି ଜାଣିଛନ୍ତି । ହେଲେ ଏବେ ତାଙ୍କ କକା ମହାବୀର ଫୋଗାଟ ଭିନେଶଙ୍କ ଅବସର ଘୋଷଣା ପ୍ରତ୍ୟାହାର କରିବା ନେଇ ଆଶା ଜାଗ୍ରତ କରିଛନ୍ତି । ତାଙ୍କ କହିବା କଥା ଭିନେଶ ଭାରତ ଆସିବା ପରେ ତା ସହ ଆଲୋଚନା କରିବେ ଏବଂ ତାଙ୍କୁ ୨୦୨୮ ଅଲିମ୍ପିକ୍ସ ଖେଳିବା ପାଇଁ ରାଜି କରାଇବେ ।

ଭାରତୀୟ କୁସ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିବା ମହାବୀର ଫୋଗାଟ ଭିନେଶଙ୍କ ସ୍ଥିତି ଉପରେ ଟିପ୍ପଣୀ କରି କହିଛନ୍ତି, ସେ ଏଥର ଅଲିମ୍ପିକ୍ସ ସ୍ୱର୍ଣ୍ଣ ଆଣିକି ରହିଥାନ୍ତା, ମାତ୍ର ତାକୁ ଅଯୋଗ୍ୟ ଘୋଷିତ କରି ଦିଆଗଲା । ଏହି ପରି ଝଟକା ପରେ ଦୁଃଖିତ ହେବା ସ୍ୱାଭାବିକ କଥା । ଏଥିପାଇଁ ସେ ଭାବ ପ୍ରବଣ ହୋଇ ନିର୍ଣ୍ଣୟ ନେଇଛି । ସେ ଘରକୁ ଫେରିବା ପରେ ତା ସହ ଆଲୋଚନା କରି ୨୦୨୮ ଅଲିମ୍ପିକ୍ସ ଖେଳିବା ପାଇଁ ମନାଇବାକୁ ଚେଷ୍ଟା କରିବି ।

ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ଘୋଷଣା କରିଛନ୍ତି ଯେ, ଅଯୋଗ୍ୟ ଘୋଷିତ ହେବା ପରେ ବି ଭିନେଶ ଫୋଗାଟଙ୍କୁ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତାର ସମ୍ମାନ ଓ ପୁରସ୍କାର ମିଳିବ । ମହାବୀର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହା ଏକ ଭଲ ପ୍ରୟାସ । ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ, ଭିନେଶଙ୍କୁ ରୌପ୍ୟ ପଦକ ମିଳିଛି । ଏହା ସରକାରଙ୍କ ଏକ ଭଲ ପଦକ୍ଷେପ ଏବଂ ମୁଁ ଏହାକୁ ସମର୍ଥନ କରୁଛି ।