Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶହୀଦ୍ ଲୋକନାଥ ପଣ୍ଡା ଅଲୋଡା ନାୟକ ହୋଇ ବଳି ପଡିଗଲେ

ସମ୍ବଲପୁର:ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ହୋଇଥିବା ସମ୍ବଲପୁର ମହାସଂଗ୍ରାମରେ ଶହୀଦ ଲୋକନାଥ ପଣ୍ଡାଙ୍କ ଭୂମିକା ଅଗ୍ରଣୀ ହୋଇଥିଲେ ହେଁ ତାଙ୍କ ସ୍ମୃତିରେ କିଛି କରାଯାଇ ପାରିନଥିବା ଦୁଃଖ ଦାୟକ ବୋଲି ମତ ପ୍ରକାଶ ପାଇଛି ।
ଅଳ୍ପ ଜ୍ଞାତ ମହାପୁରୁଷଙ୍କ ବାବଦରେ ଚର୍ଚ୍ଚା ଶିରୋନାମା ରେ ଇନଟାକ, ସମ୍ବଲପୁର ଚାପ୍ଟର ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନରେ ଆଜି ଲୋକନାଥ ପଣ୍ଡାଙ୍କ ୨୨୬ ତମ ଜୟନ୍ତୀ ଅବସରରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା
ଇନଟାକ, ସମ୍ବଲପୁର ଚାପ୍ଟରର ଆବାହକ ପ୍ର. ତାରିଣୀ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଦୀପକ କୁମାର ପଣ୍ଡା କହିଲେ ଯେ ବୀର ସୁରେନ୍ଦ୍ର ସାଏଙ୍କୁ ମିଶାଇ ତାଙ୍କ ପରିବାରର ୫ ସଦସ୍ୟ ଓ ଲଖନପୁର ଜମିଦାର ପରିବାରର ୨ ଜଣ ସଦସ୍ୟଙ୍କ ସ‌ହିତ ଲୋକନାଥ ପଣ୍ଡାଙ୍କୁ ଅଟକବନ୍ଦୀ ରୂପେ ଅସୀରଗଡ ଦୁର୍ଗ କୁ ପ୍ରେରଣ କରାଯାଇଥିଲା । ଏଥିରୁ ତାଙ୍କର ମହତ୍ୱ ପ୍ରତିପାଦିତ ହେଉଛି । ସେ ସୁରେନ୍ଦ୍ର ସାଏଙ୍କ ବନ୍ଧୁ ତଥା ପରାମର୍ଶଦାତା ଥିଲେ । ରେଙ୍ଗାଲି ଠାରୁ ମୂରା ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ତାଙ୍କ ନିୟନ୍ତ୍ରଣରେ ଥିଲା। ତତପରବର୍ତ୍ତୀ ରାସ୍ତା କୁଡାବଗା ଓ ମଚିଦା ଜମିଦାରଙ୍କ ନିୟନ୍ତ୍ରଣ ରେ ରହିଥିଲା । ସମ୍ବଲପୁରର ବିଭିନ୍ନ ରାସ୍ତାକୁ ସଂଗ୍ରାମୀ ମାନେ ନିଜର ହାତମୁଠାରେ ରଖିଥିବାରୁ ଦୀର୍ଘ ସମୟ ଧରି ସମ୍ବଲପୁର ମହାସଂଗ୍ରାମ ଚାଲି ପାରିଥିଲା । ଅସୀରଗଡ ବନ୍ଦୀଙ୍କ ମଧ୍ୟରୁ ପ୍ରାଣ ହରାଇଥିବା ପ୍ରଥମ ସଂଗ୍ରାମୀ ହେଉଛନ୍ତି ଲୋକନାଥ ପଣ୍ଡା । ୧୮୬୯ ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟା ୭ଟା ୩୦ରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା। ୨୦ ତାରିଖରେ ଏହି ସୂଚନା ଚିଠି ସଂଖ୍ୟା ୧୦୫୦ ରେ ଅସୀରଗଡର କମାଣ୍ଡେଣ୍ଟ ଇଷ୍ଟ ନିମାର ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଦେଇଥିଲେ। ମାତ୍ର ଦୀର୍ଘ ଦୁଇବର୍ଷ ପରେ ୧୮୭୧ ସେପ୍ଟେମ୍ବର ୨୧ ତାରିଖ ଦିନ ଇଷ୍ଟ ନିମାର ଜିଲ୍ଲା କତ୍ତୃପକ୍ଷ ପତ୍ର ସଂଖ୍ୟା ୩୦୧୧ ରେ ଏ ବିଷୟ ସମ୍ବଲପୁର ଜିଲ୍ଲା ଡେପୁଟି କମିଶନରଙ୍କୁ ଜଣାଇଥିଲେ। ଏହା ଫଳରେ ପରିବାରବର୍ଗ ବହୁ ବିଳମ୍ବରେ ଏ ସୂଚନା ପାଇଥିଲେ ।
ଶଶାଙ୍କ ପୁରୋହିତ କହିଲେ ଯେ ରମ୍ପେଲା, ଅଢାପଡା ଓ କୁମ୍ଭାରବନ୍ଧର ଗୈାନ୍ତିଆ ଲୋକନାଥ ପଣ୍ଡାଙ୍କ ବାବଦରେ କ୍ଵଚିତ ଲୋକ ଜାଣନ୍ତି। ତାଙ୍କ ବିଷୟରେ ଯେଭଳି ଆଲୋଚନା ହେବା କଥା ହୋଇନାହିଁ। ଇନଟାକ ଏ ଦିଗରେ ପ୍ରଶଂସନୀୟ ଉଦ୍ୟମ କରିଛି । ତାଙ୍କ ଜନ୍ମ ଓ ମୃତ୍ୟୁ ଦିବସ ଜଣାଥିବା ହେତୁ ସଂଗଠନ ଗୁଡ଼ିକ ତାଙ୍କ ଜୟନ୍ତୀ କିମ୍ବା ଶ୍ରାଦ୍ଧବାର୍ଷିକୀ ପାଳନ ପାଇଁ ଆଗଭର ହେବା ଆବଶ୍ୟକ।
ଡ଼ ବିଭୂଦତ୍ତ ପ୍ରମୋଦ କୁମାର ମିଶ୍ର କହିଲେ ଯେ ସମ୍ବଲପୁର ସଂଗ୍ରାମରେ ବୀର ସୁରେନ୍ଦ୍ର ସାଏ ମହାନାୟକ ହୋଇଥିବା ବେଳେ ଲୋକନାଥ ପଣ୍ଡା ପାର୍ଶ୍ଵ ମହାନାୟକ ଅଟନ୍ତି। ବୀର ସୁରେନ୍ଦ୍ର ସାଏଙ୍କ ସହିତ ତାଙ୍କର ଏକ ଫଟୋ ଥିଲା । ଏଥିରୁ ନଟବର ପୂଜାରୀ ସୁରେନ୍ଦ୍ର ସାଏଙ୍କ ଫଟୋ ଉଠାଇଥିଲେ, ଏହି ଫଟୋ ଆଧାରରେ ସୁରେନ୍ଦ୍ର ଓ ଲୋକନାଥ ପଣ୍ଡାଙ୍କ ଚେହେରା ଆମ ସମ୍ମୁଖକୁ ଆସିପାରିଛି ।
ସଭାପତି ଅଭିଭାଷଣରେ ପ୍ର. ତାରିଣୀ ପଣ୍ଡା କହିଲେ ଏଭଳି ଜଣେ ମହାନ ବଳିଦାନୀଙ୍କ ସ୍ମୃତି ରକ୍ଷା କରାଯାଇ ନପାରିବା ଆମପାଇଁ କ୍ଷୋଭର ବିଷୟ ଅଟେ । ଇବ ପୋଲ ତାଙ୍କ ନାମରେ ନାମିତ ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ