ଆଜି ନୁହେଁ, ଏହି ଦିନ ହେବ ଭିନେଶ ଫୋଗାଟଙ୍କ ପଦକର ନିଷ୍ପତ୍ତି


ପ୍ୟାରିସ: ନିର୍ଦ୍ଧାରିତଠୁ ୧୦୦ ଗ୍ରାମ ଅଧିକ ଓଜନ ଯୋଗୁଁ ପ୍ୟାରିସ ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ କୁସ୍ତି ବର୍ଗର ଫାଇନାଲ୍ ପୂର୍ବରୁ ଅଯୋଗ୍ୟ ଘୋଷିତ ଭିନେଶ ଫୋଗାଟଙ୍କ ରୌପ୍ୟ ପଦକ ପାଇବା ଆଶା ଘୁଞ୍ଚି ଘୁଞ୍ଚି ଯାଉଛି । ଏହା ଉପରେ ବିଚାର ପାଇଁ ଭିନେଶ ଫୋଗାଟ୍ କରିଥିବା ଆବେଦନ ଉପରେ ବିଚାର ପାଇଁ ଏବେ ଆହୁରି କିଛି ସମୟ ଲାଗିବ । ଏହି ମାମଲାରେ ଅଗଷ୍ଟ ୧୩ ତାରିଖରେ ନିଷ୍ପତ୍ତି ଶୁଣାଯିବ ବୋଲି କାସ୍ ପକ୍ଷରୁ କୁହାଯାଇଛି । ମାମଲାର ଶୁଣାଣି ଶୁକ୍ରବାର ସମାପ୍ତ ହୋଇଥିଲା । ଏବେ କାସ ରାୟକୁ ଅପେକ୍ଷା ।

ଭାରତୀୟ ଅଲିମ୍ପିକ୍ସ ସଂଘ ପ୍ରଥମେ ସୂଚନା ଦେଇଥିଲା ଯେ, ନିଷ୍ପତ୍ତି ରବିବାର ଆସିବ, ମାତ୍ର ପୁଣି ସଂଘ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି ଯେ, ନିଷ୍ପତ୍ତି ଅଗଷ୍ଟ ୧୩ ତାରିଖରେ ଶୁଣାଯିବ । ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସଂଘ ନିଜ ବୟାନରେ କହିଛି ଯେ, ଡ. ଏନାବେଲେ ବେନେଟଙ୍କ ଜଣିକିଆ ପୀଠ ଅଗଷ୍ଟ ୧୩ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ନିଜର ନିଷ୍ପତ୍ତି ଶୁଣାଇବେ ।

ଅନ୍ୟପଟେ ପ୍ୟାରିସ ଅଲିମ୍ପିକ୍ସର ଉଦଯାପନୀ ସମାରୋହ ଆଜି ଅନୁଷ୍ଠିତ ହେବ । ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ନିଜ ଆବେଦନରେ ଲୋପେଜଙ୍କ ସହିତ ଯୁଗ୍ମ ଭାବେ ରୌପ୍ୟ ପଦକ ଦେବାକୁ ଦାବି କରିଛନ୍ତି । କାରଣ ମଙ୍ଗଳବାର ନିଜର ମୁକାବିଲା ସମୟରେ ତାଙ୍କ ଓଜନ ନିର୍ଦ୍ଧାରିତ ସୀମା ଭିତରେ ଥିଲା ।

ସୂଚନାଯୋଗ୍ୟ, ଅଗଷ୍ଟ ୭ ତାରିଖ ଫାଇନାଲ୍ ସକାଳେ ଭିନେଶଙ୍କ ଶରୀରରେ ଜଳୀୟ ଅଂଶ ହ୍ରାସ ପାଇଥିଲା । ତାଙ୍କୁ ଅଲିମ୍ପିକ୍ସ କ୍ରୀଡା ଗ୍ରାମର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଓଜନ ମପାଯିବା ସମୟରେ ନିର୍ଦ୍ଧାରିତଠୁ ୧୦୦ ଗ୍ରାମ ଅଧିକ ଥିବା ଜଣା ପଡିଥିଲା । ଫଳରେ ନିୟମ ଅନୁସାରେ ଆଇଓଏ ଭିନେଶଙ୍କୁ ପ୍ୟାରିସ ଅଲିମ୍ପିକ୍ସ ଫାଇନାଲ୍ ପାଇଁ ଅଯୋଗ୍ୟ ଘୋଷିତ କରିଥିଲା ।