ଭୁବନେଶ୍ୱର: ବାଂଲାଦେଶରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି । ଦେଶରେ ଅସ୍ଥିରତା ମାହୋଲ ରହିଛି । ଏମିତି ସ୍ଥିତିରେ ବାଂଲାଦେଶରୁ ଲକ୍ଷାଧିକ ଲୋକ ଭାରତରେ ପଶିବାକୁ ଉଦ୍ୟମ କରୁଛନ୍ତି । ସମୁଦ୍ର ପଥ ଦେଇ ଓଡିଶାରେ ମଧ୍ୟ ପଶିବାକୁ ଉଦ୍ୟମ କରୁଛନ୍ତି ବାାଂଲଦେଶୀ । ସେମିତିରେ ବି ଓଡିଶାର ଅନେକ ଜିଲ୍ଲାରେ ମାଳମାଳ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଖିବାକୁ ମିଳିଛି । ଏହିକ୍ରମରେ ଖୁବ୍ ଶୀଘ୍ର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯାଞ୍ଚ ହେବ । ରବିବାର ଏହାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଆଇନମନ୍ତ୍ରୀ କହିଛନ୍ତି, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବରୁ ଅନୁପ୍ରବେଶ କରି ବିଭିନ୍ନ ବୃତ୍ତିରେ ଥିବା ସମସ୍ତଙ୍କ ଯାଞ୍ଚ ହେବ । ବୈଧ ପ୍ରମାଣପତ୍ର ନ ଥିଲେ, ନିଜ ଦେଶ ପ୍ରତ୍ୟାର୍ପଣ ବ୍ୟବସ୍ଥା କରାଯିବ । ପଶ୍ଚିମବଙ୍ଗ ଓ ସମୁଦ୍ର ପଥରେ ବାଂଲାଦେଶୀ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି । ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟକୁ କୌଣସି ଅନୁପ୍ରବେଶ ହେବ ନାହିଁ, ସେଥିପ୍ରତି ଦୃଢ ପଦକ୍ଷେପ ନିଆଯାଉଛି ।
ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ଜିଲ୍ଲାର ସଦର ମହକୁମା ଓ ସହରରେ ମାଳମାଳ ବାଂଲାଦେଶୀ ଅନୁପ୍ରବେଶକାରୀ କିମ୍ବା ରୋହିଙ୍ଗ୍ୟା ମୁସଲିମଙ୍କୁ ଦେଖିବାକୁ ମିଳୁଛି । ସେମାନେ କିଛି ନା କୀଛି ବୃତ୍ତି କରି ଏଠାରେ ରହି ଯାଇଛନ୍ତି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଏମାନଙ୍କ ସଂଖ୍ୟା ଅଧିକ ରହିଛି ।