ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ


ଭୁବନେଶ୍ଵର: ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ପରଲୋକ ଘଟିଛି । ବିତ୍ତିହୋତ୍ର ହେଉଛନ୍ତି ପୂର୍ବତନ ଜେଲ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ । ୨୦୦୬ରେ ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ ବିତ୍ତହୋତ୍ର । ତାଙ୍କ ନାଁରେ ଜର୍ମାନ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା ।

ସୂଚନାଯୋଗ୍ୟ, ରାଜସ୍ଥାନ ଅଲୱର ବୁଲି ଯାଇଥିବା ବେଳେ ତାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଥିଲା । ଘଟଣାକୁ ନେଇ ରାଜସ୍ଥାନ ପୋଲିସ ବିତ୍ତିହୋତ୍ରଙ୍କୁ ଗିରଫ କରିଥିଲା । ଏହା ପରେ କୋର୍ଟରେ ଶୁଣାଣିର ମାତ୍ର ୯ ଦିନ ପରେ ତାଙ୍କୁ ଦଣ୍ଡାଦେଶ ହୋଇଥିଲା । ୭ ବର୍ଷ ଜେଲ୍ ଏବଂ ୧୦ ହଜାର ଟଙ୍କା ଜରିମାନା କରିଥିଲେ କୋର୍ଟ । ପରେ ମାଆଙ୍କ ଦେହ ଖରାପ ଦର୍ଶାଇ ପାରୋଲରେ ଆସିଥିଲେ ବିତ୍ତିହୋତ୍ର । କିନ୍ତୁ ପାରୋଲ ଅବଧି ଶେଷ ପରେ ବି ସେ ଆଉ ଜେଲକୁ ଫେରି ନ ଥିଲେ । ୭ ବର୍ଷ ଫେରାର ରହିବା ପରେ ୨୦୧୩ରେ କେରଳରୁ ସେ ଧରା ପଡିଥିଲେ ।

ନିଜ ନାଁ ରାଘବ ରାଜନକୁ ବଦଳାଇ ଏକ ବ୍ୟାଙ୍କରେ ଚାକିରି କରୁଥିଲେ । ଧରା ପଡିବା ପରେ ପୂର୍ବ ମାମଲା ସହ ଫେରାର ଘଟଣାରେ ଜେଲ୍ ଯାଇଥିଲେ । ପରେ କ୍ୟାନସର ଆକ୍ରାନ୍ତ ହେବାରୁ ଆଗୁଆ ମୁକ୍ତି ଆବେଦନ କରିଥିଲେ । ୫ ବର୍ଷ ଜେଲରେ ରହି ସାରିଥିବାରୁ ସୁପ୍ରିମକୋର୍ଟରେ ମୁକ୍ତି ଆବେଦନ କରିଥିଲେ । ଏହା ପରେ ଚିକିତ୍ସାଧୀନ ଥିଲେ ବିତ୍ତିହୋତ୍ର । ଆଉ ଆଜି ତାଙ୍କର ଏମ୍ସରେ ପରଲୋକ ଘଟିଛି ।