ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ପୁଣି ଥରେ ଚଳଚଞ୍ଚଳ ଶମ୍ଭୁ ବର୍ଡର । ବର୍ଡରରେ ବ୍ୟାପକ ଆନ୍ଦୋଳନ ଯୋଗୁଁ ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି ସାଧାରଣ ଲୋକ । ଏହି ପରିପ୍ରେକ୍ଷୀରେ ପଞ୍ଜାବ ଓ ହରିୟାଣାକୁ ସଂଯୋଗ କରୁଥିବା ଶମ୍ଭୁ ବର୍ଡରକୁ ଆଂଶିକ ଭାବେ ଖୋଲିବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୋମବାର ଏହି ମାମଲାରେ ଶୁଣାଣି କରି ଅଦାଲତ କହିଛନ୍ତି ବର୍ଡରକୁ ମହିଳା ଓ ପିଲାଙ୍କ ପାଇଁ ଖୋଲି ଦେବା ଉଚିତ୍ । ଏହା ବ୍ୟତୀତ ଆମ୍ବୁଲାନ୍ସ, ଜରୁରୀ ସେବା ଓ ସ୍ଥାନୀୟ ଯାତ୍ରୀଙ୍କ ଯାତାୟତ ପାଇଁ ଶମ୍ଭୁ ବର୍ଡରକୁ ଆଂଶିକ ଭାବେ ଖୋଲିବାର ଆବଶ୍ୟକତା ରହିଛି । ପଞ୍ଜାବ ସରକାର କୃଷକଙ୍କ ସହ ଆଲୋଚନା କରନ୍ତୁ ଏବଂ ସେମାନଙ୍କୁ ଶମ୍ଭୁ ବର୍ଡରରୁ ଟ୍ରାକ୍ଟର ହଟାଇବାକୁ ରାଜି କରାନ୍ତୁ ।
ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ପଞ୍ଜାବ ସରକାରଙ୍କୁ ପ୍ରଦର୍ଶନକାରୀ କୃଷକଙ୍କ ସହ ଆଲୋଚନା କରି ରାସ୍ତାରୁ ଟ୍ରାକ୍ଟର ହଟାଇବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି, ରାଜମାର୍ଗ ଗାଡି ପାର୍କିଂ ପାଇଁ ନୁହେଁ । ଏହିପରି ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଦୋଳନକାରୀ କୃଷକଙ୍କ ଉପରେ ମଧ୍ୟ କଡା ଟିପ୍ପଣୀ କରିଛନ୍ତି । ଅଦାଲତ ଶମ୍ଭୁ ବର୍ଡରରେ ରାସ୍ତାକୁ ଆଂଶିକ ଭାବେ ପୁଣି ଥରେ ଖୋଲିବା ପାଇଁ ପଞ୍ଜାବ, ହରିୟାଣାର ପୋଲିସ ମହାନିର୍ଦ୍ଦେଶକଙ୍କୁ ଗୋଟିଏ ସପ୍ତାହ ଭିତରେ ପଡୋଶୀ ଜିଲ୍ଲାର ଏସପିଙ୍କ ସହ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଖଣ୍ଡପୀଠ କହିଛନ୍ତି, ଆନ୍ଦୋଳନକାରୀ କୃଷକଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତାବିତ କମିଟିରେ ଅଣ ରାଜନୈତିକ ବ୍ୟକ୍ତିଙ୍କ ନାମ ପ୍ରସ୍ତାବିତ କରିବା ପଞ୍ଜାବ ଓ ହରିୟାଣା ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏଥିସହ ନ୍ୟାୟାଳୟ ଗଠନ ହେବାକୁ ଥିବା କମିଟିର ସର୍ତ୍ତ ଆଧାରରେ ସଂକ୍ଷିପ୍ତ ଆଦେଶ ପାରିତ କରିବେ ବୋଲି କହିଛନ୍ତି ।