Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓଡିଶା ସରକାରଙ୍କ ବ୍ରାହ୍ମଣୀ ନଦୀ ଉପରେ ଝୁଲା ପୋଲକୁ ମଞ୍ଜୁରୀ, ବେଦବ୍ୟାସକୁ ରାସ୍ତା ହେବ ସୁଗମ

ସମ୍ବଲପୁର:ବେଦବ୍ଯାସ ମେଳା ସମୟରେ ପାନପୋଷ ଓ ଛେଣ୍ଡ ବସ୍ତିରୁ ବେଦବ୍ଯାସ ମନ୍ଦିରକୁ ଯିବା ପାଇଁ ଭକ୍ତଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଓଡିଶାର ବିଜେପି ସରକାର ବ୍ରାହ୍ମଣୀ ନଦୀ ଉପରେ ଏକ ଝୁଲା ପୋଲକୁ ମଞ୍ଜୁରୀ ଦେଇଛନ୍ତି। ବ୍ରାହ୍ମଣୀ ନଦୀ ଉପରେ ବହୁ ପ୍ରତୀକ୍ଷିତ ଝୁଲା ପୋଲ ନିର୍ମାଣ ହେଲେ, ଐତିହାସିକ ବେଦବ୍ଯାସ ପୀଠକୁ ପର୍ଯ୍ଯଟକ ତଥା ଶ୍ରଦ୍ଧାଳୁ ଭକ୍ତଙ୍କ ଗମନାଗମନ ସୁବିଧା ଉପଲବ୍ଧ ହୋଇପାରିବ। ବେଦବ୍ଯାସ ପୀଠକୁ ଏକ ଝୁଲା ପୋଲ ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ଦାବୀ ହୋଇଆସୁଥିଲା। ବିଜେପି ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି ଯେ, ଏହି ସଫଳତା ଜିଲ୍ଲା ତଥା ରାଜ୍ୟ ପାଇଁ ଏକ ବଡ ସଫଳତା। ଝୁଲା ପୋଲ ନିର୍ମାଣ ସମ୍ପର୍କରେ ଶ୍ରୀ ସେନାପତି ଏବଂ ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ପୂର୍ତ୍ତମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କୁ ବେଦବ୍ଯାସ ପୀଠକୁ ଏକ ଝୁଲା ପୋଲ ନିର୍ମାଣ ପ୍ରକଳ୍ପକୁ ସ୍ମାରକପତ୍ର ପ୍ରଦାନ କରି ଅନୁମୋଦନ ପାଇଁ ନିବେଦନ କରିଥିଲେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସେନାପତି ଏହି ପ୍ରେସ୍ ବାର୍ତ୍ତାରେ କହିଛନ୍ତି। ଏଥିପାଇଁ ଶ୍ରୀ ସେନାପତି, ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝି, ଆଇନ-ପୂର୍ତ୍ତ-ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ କୃତଜ୍ଞତା ଜଣାଇବା ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଉଦ୍ଯମ ତଥା ବେଦବ୍ଯାସ ପୀଠ ବିକାଶ ମଞ୍ଚର କର୍ମକର୍ତ୍ତାଙ୍କ ସହଯୋଗକୁ ଶ୍ରୀ ସେନାପତି ପ୍ରଶଂସା କରିଛନ୍ତି। ଏହି ଝୁଲା ପୋଲ ନିର୍ମାଣ ଦ୍ବାରା ଐତିହାସିକ ବେଦବ୍ଯାସ ପୀଠକୁ ପର୍ଯ୍ଯଟକଙ୍କ ଆଗମନ ସହ ଶ୍ରଦ୍ଧାଳୁମାନେ ପୋଲ ସାହାଯ୍ୟରେ ଚନ୍ଦ୍ରଶେଖର ମହାଦେବଙ୍କ ଦର୍ଶନ କରିପାରିବେ ବୋଲି ଶ୍ରୀ ସେନାପତି ଆଶାବ୍ୟକ୍ତ କରିଛନ୍ତି।