ନୂଆଦିଲ୍ଲୀ: ସମଗ୍ର ଦେଶରେ ଆଜି ଉଲ୍ଲାସର ସହ ୭୮ ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ଧ୍ୱଜାରୋହଣ କରିଛନ୍ତି । ସେ କହିଛନ୍ତି ୨୦୪୭ ସୁଦ୍ଧା ବିକଶିତ ଭାରତର ସଂକଳ୍ପକୁ ଆମେ ସବୁ ମିଶି କି ପୂରା କରିବା । ପ୍ରତ୍ୟେକ ଦେଶବାସୀ କାନ୍ଧରେ କାନ୍ଧ ମିଶାଇ ଚାଲିଲେ ପ୍ରତିଟି ଆହ୍ୱାନକୁ ପାର କରି ପାରି ସମୃଦ୍ଧ ଭାରତ ନିର୍ମାଣ କରି ପାରିବା । ବିକଶିତ ଭାରତର ଲକ୍ଷ୍ୟ ପ୍ରାପ୍ତ କରି ପାରିବା । ଯଦି ୪୦ କୋଟି ଦେଶବାସୀ ଦେଶକୁ ଗୁଲାମିରୁ ସ୍ୱାଧୀନତା ଦେଇ ପାରନ୍ତି ତେବେ ୧୪୦ କୋଟି ଦେଶବାସୀ ମଧ୍ୟ ସମୃଦ୍ଧ ଭାରତ ତିଆରି କରି ପାରିବେ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ସମୟ ଥିଲା ଯେଉଁଠି ଲୋକେ ଦେଶ ପାଇଁ ପ୍ରାଣବଳି ଦେବାକୁ ପ୍ରତିବଦ୍ଧ ଥିଲେ । ଆଜି ଦେଶ ପାଇଁ ଜିଇଁବାର ପ୍ରତିବଦ୍ଧତା ରହିଛି । ଯଦି ଦେଶ ପାଇଁ ପ୍ରାଣବଳି ଦେବାର ପ୍ରତିବଦ୍ଧତା ସ୍ୱାଧୀନତା ଦେଇପାରେ ତେବେ ଜିଇଁବାର ପ୍ରତିବଦ୍ଧତା ସମୃଦ୍ଧ ଭାରତକୁ ବିଶକିତ କରି ପାରିବ । ଯେବେ ଲାଲକିଲ୍ଲାରୁ କୁହାଯାଏ ଦେଶର ୧୮ ହଜାର ଗାଁରେ ସମୟ ସୀମାରେ ବିଜୁଳି ପହଁଚାଇବା ଏବଂ ସେହି କାମ ହୋଇଯାଏ ତେବେ ଭରସା ଆହୁରି ମଜବୁତ ହୋଇଯାଏ ।
ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭରୁ କହିଛନ୍ତି, ଦେଶ ପାଇଁ ନିଜ ପ୍ରାଣ ଉତ୍ସର୍ଗ କରିଥିବା ଏବଂ ସମର୍ପିତ କରିଥିବା ସେହି ସଂଗ୍ରାମୀଙ୍କୁ ଆଜି କୃତଜ୍ଞତା ଜଣାଇବାର ପର୍ବ । ଦେଶ ସେମାନଙ୍କ ପ୍ରତି ଚିର ଋଣି । ପ୍ରତିଟି ଦେଶବାସୀଙ୍କ ପ୍ରତି ମୁଁ ନିଜର ଶ୍ରଦ୍ଧା ବ୍ୟକ୍ତ କରୁଛି ।
ଏହା ସହିତ ପ୍ରଧାନମନ୍ତ୍ରୀ କେରଳ ଏବଂ ଦେଶର ବିଭିନ୍ନ ଭାଗରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଆମର ଚିନ୍ତା ବଢି ଚାଲିଛି । ଲୋକେ ନିଜର ପରିବାର ଏବଂ ପ୍ରିୟଜନଙ୍କୁ ହରାଇଛନ୍ତି । ଧନ ସଂପତ୍ତି ନଷ୍ଟ ହୋଇ ଯାଇଛି । ମୁଁ ଆଜି ସେହି ପୀଡିତଙ୍କ ପ୍ରତି ସମବେଦନା ବ୍ୟକ୍ତ କରୁଛି । ଭରସା ଦେଉଛି ଏମିତି ବିପଦ ସମୟରେ ପ୍ରତ୍ୟେକ ଭାରତୀୟ ଆପଣଙ୍କ ସହିତ ରହିଛି ।