Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଦକ ଦ୍ରବ୍ଯ ନିଷିଦ୍ଧ ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବୀରମହାରାଜପୁର ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

ବୀରମହାରାଜପୁର : (ସୌମିତ୍ରି ମେହେର) ମାଦକ ଦ୍ରବ୍ୟ ସମ୍ପୂର୍ଣ ନିଷିଦ୍ଧ କରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରିବା ସମେତ ଅନ୍ୟାନ୍ୟ ୫ ଦଫା ଦାବି ନେଇ ଶୁକ୍ରବାର ସର୍ବ ଭାରତୀୟ ମହିଳା ସାଂସ୍କୃତିକ ସଂଗଠନ (ଏଆଇଏମଏସଏସ)ର ବୀରମହାରାଜପୁର ଶାଖା ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ଆର.ଜି. କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ କଠୋର ଶାସ୍ତି ପ୍ରଦାନ କରିବା, ଏସସିବି ମେଡିକାଲରେ ରୋଗୀଙ୍କୁ ବଳାତ୍କାର ଅଭିଯୋଗର ତଦନ୍ତ ଓ ଅପରାଧୀ ଡାକ୍ତରଙ୍କୁ କଠୋର ଶାସ୍ତି ଦେବା ତଥା ନାରୀ ଓ ଶିଶୁକନ୍ୟାଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଆଦି ପାଇଁ ମଧ୍ୟ ଦାବି କରାଯାଇଛି। ମହିଳାମାନେ ବିଭିନ୍ନ ସ୍ଲୋଗାନ୍ ଦେଇ ବୀରମହାରାଜପୁର ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଥିଲେ ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଂଗଠିକା ବିନୋଦିନୀ ମେହେରଙ୍କ ପରିଚାଳନାରେ ଏଆଇଏମଏସଏସର ରାଜ୍ୟ ସମ୍ପାଦିକା ସରୋଜିନୀ ନାୟକ ଯୋଗଦେଇ ଓଡିଶାକୁ ଅବିଳମ୍ବେ ନିଶାମୁକ୍ତ ରାଜ୍ୟ କରିବା ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରିତ କରିବା ସକାଶେ ଦାବି କରିଥିଲେ। ଯଦି ଏଥିପ୍ରତି ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଳ୍ପନା ପଧାନ , ସବିତା ମେହେର , ନିରୁପମା ମେହେର, ରଇବାରୀ ମେହେର ପ୍ରମୁଖ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ