ଗଞ୍ଜାମ: ଓଭର ଟେକ୍ ହେଲା କାଳ । ଚାଲିଗଲା ୪ ଜୀବନ । ଗଞ୍ଜାମ ଜିଲ୍ଲା ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମ୍ବରଝୋଳ ତଥା କଞ୍ଜୁରୁ ଛକରେ ଘଟିଛି ଏମିତି ମର୍ମନ୍ତୁଦ ଦୁର୍ଘଟଣା । ଏକ ତେଲ ଟ୍ୟାଙ୍କର ଟ୍ରକ୍କୁ ଓଭରଟେକ୍ କରୁଥିବା ବେଳେ ଏକ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି ।
‘ଖମ୍ବେଶ୍ୱରୀ’ ନାମକ ବସ୍ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଧରି ବ୍ରହ୍ମପୁର ଅଭିମୁଖେ ଆସୁଥିଲା । ଉକ୍ତ ସମୟରେ ତେଲ ଟ୍ୟାଙ୍କରଟି ବ୍ରହ୍ମପୁରରୁ ଆସ୍କା ପଟକୁ ଆସୁଥିଲା । କଞ୍ଜୁରୁ ଛକରେ ତେଲ ଟ୍ୟାଙ୍କରଟି ଏକ ଟ୍ରକ୍କୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିଲା । ମାତ୍ର ଗାଡ଼ିଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଫଳରେ ଗାଡି ଦୁଇଟି ରାସ୍ତା ପାର୍ଶ୍ୱରେ ଥିବା ଚା’ ଦୋକାନ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଚା’ ପିଉଥିବା ୩ ଜଣଙ୍କ ସମେତ ଜଣେ ବସ୍ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ବସ୍ରେ ଥିବା ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି ।
ଖବର ପାଇ ପୋଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲକୁ ପଠାଇଛନ୍ତି । ଏଥିରେ ବସ୍ରେ ଆହୁରି କିଛି ଯାତ୍ରୀ ଚାପି ହୋଇଥିବା ଅନୁମାନ କରାଯାଉଛି । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ୨ ଲକ୍ଷ ଲେଖାଏଁ ସହାୟତା ଦେବା ସହ ଗୁରୁତର ଆହତଙ୍କୁ ୧ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଚିକିତ୍ସା ସଂପୂର୍ଣ୍ଣ ମାଗଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।