ଭିଜିଲାନ୍ସକୁ ଚକମା ଦେବାକୁ ଟଏଲେଟ ଫ୍ଲସରେ ବିଡ଼ା ବିଡ଼ା ଟଙ୍କା ଲୁଚାଇଥିଲେ ରେଞ୍ଜର, ହେଲେ…


ଢେଙ୍କାନାଳ: ଚୋର ଡାଳେ ଡାଳେ ଗଲେ ପୋଲିସ ପତରେ ପତରେ । ଏ ଉକ୍ତିଟି ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ପାଇଁ ଏକଦମ୍ ଠିକ୍ । କାରଣ ବାବାଙ୍କୁ ଘରେ ଯେତେବେଳେ ଭିଜିଲାନ୍ସ ପଶିଲା, ଚକମା ଦେବାକୁ ଟଏଲେଟ ଫ୍ଲାସରେ ଟଙ୍କା ବିଡ଼ା ଲୁଚାଇ ଦେଲେ । ଭାବି ଥିଲେ ଭିଜିଲାନ୍ସ ଟିମ୍ କିଛି ଜାଣି ପାରିବେ ନାହିଁ । ହେଲେ ଚୋରଠୁ ବଳେ ପୋଲିସ । ଭିଜିଲାନ୍ସ ବାବୁମାନେ ବିଭୁଦାନନ୍ଦଙ୍କ ଚାଲିକିକୁ କେବଳ ଜାଣି ନଥିଲେ, ତାଙ୍କ ଟଏଲେଟରୁ ଦୁଇ ବିଡ଼ା ନୋଟ ବି ଜବତ କରିଛନ୍ତି ।

ସେହିପରି ଆଠଗଡ଼ରେ ତାଙ୍କର ୮ ଏକର ଜାଗାରେ ବିଳାସପୂର୍ଣ୍ଣ ବିରାଟ ଫାର୍ମ ହାଉସ ରହିଛି । ପାର୍କଠୁ ବଡ଼ ଏହି ଫାର୍ମ ହାଉସକୁ ଅତି ସୁନ୍ଦର ଭାବେ ସଜାଯାଇଛି । ଫାର୍ମ ହାଉସରେ ଅଛନ୍ତି ମୟୂର, ଠେକୁଆ, ଶୁଆ ଓ ବତକ ଭଳି ଅନେକ ଜୀବଜନ୍ତୁ । କେବଳ ସେତିକି ନୁହେଁ, ମନୋରଂଜନ ପାଇଁ ମଧ୍ୟ ଫାର୍ମ ହାଉସରେ ବ୍ୟାପକ ବ୍ୟବସ୍ଥା କରିଛନ୍ତି ରେଞ୍ଜର ବାବୁ । ଫାର୍ମ ହାଉସ ମଝିରେ ରହିଛି ଭ୍ୟୁ ପଏଣ୍ଟ । ଥକା ମେଣ୍ଟାଇବାକୁ କିମ୍ବା ଝୁଲିବା ପାଇଁ ରହିଛି ବିଳାସପୂର୍ଣ୍ଣ ଦୋଳି ।

ସେହିପରି ପିଲାଙ୍କ ଖେଳିବା ପାଇଁ କେତେ କଣ ଉପକରଣ ରହିଛି । ଏହାଛଡ଼ା ମର୍ଣ୍ଣିଂୱାକ କରିବାକୁ ରାସ୍ତା ମଧ୍ୟ ରହିଛି । ସେହି ରାସ୍ତା କଡ଼ରେ ରହିଛି ସୁନ୍ଦର ସୁନ୍ଦର ମାର୍ବଲ ମୂର୍ତ୍ତି । ଚଢ଼ାଉ ବେଳେ ରେଞ୍ଜର ବାବୁଙ୍କ ଫାର୍ମ ହାଉସରେ ଏସବୁ ଜିନିଷ ଦେଖି ଚକିତ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ ।

ଆଜି ସକାଳେ ଆୟ ବର୍ହିଭୂତ ସମ୍ପତ୍ତ ଠୁଳ ଅଭିଯୋଗରେ ରେଞ୍ଜରଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ।  ବିଭୁଦାନନ୍ଦଙ୍କ ପୈତୃକ ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ରେଞ୍ଜର ବାବୁଙ୍କ ଢେଙ୍କାନାଳ ରତ୍ନବଜାରରେ ଥିବା ୩ ମହଲା ଘର, ବୀରକିଶୋରପୁରରେ ଥିବା ପୈତୃକ ଘର, ଢେଙ୍କାନାଳରେ ଥିବା ସଂପର୍କୀୟଙ୍କ ଘର, ଢେଙ୍କାନାଳ ଅଫିସ ଓ ଚ୍ୟାମ୍ବର, ଢେଙ୍କାନାଳର ସରକାରୀ କ୍ୱାର୍ଟର୍ସ ଓ ଭୁବନେଶ୍ୱର ଜିଜିପି କଲୋନୀରେ ଥିବା ଫ୍ଲାଟରେ ଚଢ଼ଉ କରିଥିଲା । ଏହି ଚଢ଼ଉରେ ୬ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ ଜଣ ଇନ୍ସପେକ୍ଟର, ୬ ଜଣ ଏସଏଆଇ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।