ବଲାଙ୍ଗୀର: ଡକାୟତି ଓ ହତ୍ୟା ଭଳି ଏକାଧିକ ମାମଲା ରହିଛି ତା’ ନାଁରେ । ବଲାଙ୍ଗୀର ଜିଲ୍ଲାରେ ଜଣେ କୁଖ୍ୟତ ଅପରାଧୀ ଭାବେ ପରିଚିତ ସୌମ୍ୟରଞ୍ଜନ ଦାସ । ତା’ ନାଁରେ ଥର ହର ହେଉଥିଲା ବଲାଙ୍ଗୀର । ହେଲେ ତାକୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ୧୦ ଯୁବକ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି ସୌମ୍ୟରଞ୍ଜନ ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ମାଳପଡା ମେଟକାନି ମନ୍ଦିର ନିକଟ ସୌମ୍ୟ ବୁଲୁଥିଲା । ଏହି ଖବର ପାଇ ୧୦ ଯୁବକ ସେଠାରେ ପହଞ୍ଚିଥିଲେ । ଆଉ ଖଣ୍ଡାରେ ଅତର୍କିତ ଭାବେ ଆକ୍ରମଣ କରି ଚୋଟ ପରେ ଚୋଟ ପକାଇଥିଲେ ।
ସୌମ୍ୟ ରକ୍ତାକ୍ତ ହୋଇ ତଳେ ପଡ଼ି ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ସୌମ୍ୟକୁ ଉଦ୍ଦାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛି । ତା’ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ସୌମ୍ୟ ନାଁରେ ଡକାୟତି, ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ରହିଛି । ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ଟାଉନ ଥାନା ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।