ସମ୍ବଲପୁର/କୁଚିଣ୍ଡା: ନିର୍ମାଣାଧୀନ ଶୌଚାଳୟ ଟାଙ୍କିରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ସେଣ୍ଟ୍ରିିଂ ଖୋଲିବାକୁ ଶୌଚାଳୟ ଟାଙ୍କିରେ ପ୍ରବେଶ କରିବା ପରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ସହ ଘର ମାଲିକର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ପୁକୁଡା ଗାଁରେ । ଅନ୍ୟ ଜଣେ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ତିନି ମୃତକ ହେଉଛନ୍ତି ଶ୍ରୀକାନ୍ତ ମୁଣ୍ଡା (୩୫), ଭରତ ରଣା (୨୮) ଓ ବସନ୍ତ ଦେହୁରୀ (୩୭) । ଗୁରୁତର ଥିବା ସିଦ୍ଧାର୍ଥ ମୁଣ୍ଡାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଜମନକିରା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶନିବାର ସକାଳ ପ୍ରାୟ ୯ ଟା ସମୟରେ ଏହି ଘଟଣା ଘଟିଛି । ପୁକୁଡା ଗାଁର ବସନ୍ତ ଦେହୁରୀଙ୍କ ଏକ ନିର୍ମାଣାଧୀନ ଶୌଚାଳୟ ଟାଙ୍କିର ସେଣ୍ଟ୍ରିଂ ଖୋଲିବାକୁ ଶ୍ରୀକାନ୍ତ ମୁଣ୍ଡା, ଭରତ ରଣା ଓ ସିଦ୍ଧାର୍ଥ ମୁଣ୍ଡା ଶୌଚାଳୟ ଟାଙ୍କି ଭିତରକୁ ପ୍ରବେଶ କରିଥିଲେ l ପଶୁ ପଶୁ ୨ଜଣ ଶ୍ରମିକ ଚେତାଶୂନ୍ୟ ହୋଇପଡିଥିଲେ । ଏହା ଦେଖି ଘର ମାଲିକ ବସନ୍ତ ଦେହୁରୀ ମଧ୍ୟ ଟାଙ୍କିକୁ ପଶିଥିଲେ । ଏହାପରେ ସେ ମଧ୍ୟ ଟାଙ୍କି ମଧ୍ୟରେ ଚେତା ହରାଇଥିଲେ । ଏହା ଜାଣିବା ପରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଟାଙ୍କିରୁ ଉଦ୍ଧାର କରି ସ୍ଥାନୀୟ ଜମେନକିରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ l ହସ୍ପିଟାଲରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ବେଳେ ଗୁରୁତର ସିଦ୍ଧାର୍ଥ ମୁଣ୍ଡଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପୋଲିସ ଏନେଇ ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ଯ ଜଣାପଡ଼ିବl