ସମ୍ବଲପୁର: ଝାରସୁଗୁଡ଼ା ଜ଼ିଲ୍ଲା ବେଲପାହାଡ଼ ସ୍ଥାନୀୟ କଦେଲପିଠା ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ଲେଖକ ଡ଼. ଗୌରୀଦାସ ପ୍ରଧାନଙ୍କ ରଚିତ ହୀରାକୁଦ ବିସ୍ଥାପନର ବାସ୍ତବିକ କରୁଣ କାହାଣୀ ଉପରେ ଆଧାରିତ “ଜଳବୁଡ଼ି ଗାଆଁ ରଂପାଲୁଗା” ପୁସ୍ତକ ଶନିବାର ଉନ୍ମୋଚିତ ହୋଇଛି I ପ୍ରାରମ୍ଭରେ ଅତିଥିଙ୍କ ଗହଣରେ ମା’ ରାମଚଣ୍ଡୀ ଓ ସ୍ବର୍ଗତ ହରିଶଙ୍କର ସାହୁ ଓ ତାଙ୍କର ସହଧର୍ମିଣୀ ସ୍ୱର୍ଗତ ଚିତ୍ରରେଖା ସାହୁ ଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା I ଝାରସୁଗୁଡ଼ା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ପ୍ରାଧ୍ୟାପକ ତପନ କୁମାର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଅବିଭକ୍ତ ସମ୍ବଲପୁର ଜ଼ିଲ୍ଲା ମୁରା/ଅମ୍ବାଭୋନା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ଶତାୟୁ ବିଧାୟକ ମକର୍ଧ୍ବଜ ପ୍ରଧାନ ଯୋଗଦେଇ ପୁରାତନ ରଂପାଲୁଗା ଗାଁର ବିସ୍ଥାପନ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ଜୀବନରେ ସର୍ବଦା ସତ କଥା କହିବା ଓ ସମସ୍ତଙ୍କୁ ଯଥା ସାଧ୍ୟ ସାହାଯ୍ୟ କରିବା ପାଇଁ ଅନୁରୋଧ କରି ଭାବବିହ୍ୱଲ ହୋଇଯାଇଥିଲେ I ମୁଖ୍ୟବକ୍ତା ଭାବେ ସମ୍ବଲପୁର ଜିଏମ୍ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ ପ୍ରଫେସର ଡ଼. କାମଦେବ ସାହୁ ସମ୍ମାନିତ ଅତିଥି, ଲେଖକ ଡ଼. ଗୌରୀଦାସ ପ୍ରଧାନ, ପୁସ୍ତକର ପ୍ରକାଶକ ଜଟାଭୂଷଣ ସାହୁ, ବ୍ରଜରାଜନଗର ମହାବିଦ୍ୟାଳୟ ଅଧ୍ୟାପକ ଶ୍ରୀକର ଭୋଇ, “ଭୂମି ଏକ୍ସପ୍ରେସ” ର ସଂପାଦକ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I ଶ୍ରୀକର ଭୋଇ, ସରୋଜ ସାହୁ ଓ ବିରାଟ ରାଜ ପଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ବେଲପାହାଡ଼ ଜୁନିୟର କଲେଜର ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ I ମୁଖ୍ୟବକ୍ତା ଡ଼. କାମଦେବ ସାହୁ ନିଜ ଅଭିଭାଷଣରେ ପୃଥିବୀର ସବୁଠାରୁ ଦୁଃଖଦ ବିସ୍ଥାପନ ହୀରାକୁଦ ଜଳଭଣ୍ଡାର ବିଷୟରେ ଆଲୋକପାତ କରିବା ସହ ସମସ୍ତ ବିସ୍ଥାପିତ ପରିବାର ଆଜି ପର୍ଯ୍ୟନ୍ତ ଥଇଥାନ ନ ହେବା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଥିଲେ I ସେ ଆହୁରି କହିଥିଲେ ଯେ ରଂପାଲୁଗା ଭଳି କେତେଯେ ଗାଁ ଜଳମଗ୍ନ ହୋଇ ଲୋକେ ବିସ୍ଥାପିତ ହୋଇଛନ୍ତି ତାର ସବିଶେଷ ଖବର କିଛି ନାହିଁ I ସମସ୍ତ ବିସ୍ଥାପିତ ପରିବାରକୁ ବର୍ତ୍ତମାନ ଥଇଥାନ କରିବା ଆବଶ୍ୟକ ବୋଲି ମତ ଦେବା ସହ ସମସ୍ତ ପରିବାରକୁ ଜମି ପଟ୍ଟା ଯୋଗାଇ ଦେବା ଆବଶ୍ୟକ ଓ ଏହି ଦିଗରେ ଆମେ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ଶ୍ରୀ ସାହୁ ମତପ୍ରକାଶ କରିଥିଲେ I ଏହି ଅବସରରେ ପୂର୍ବତନ ଶତାୟୁ ବିଧାୟକ ମକର୍ଧ୍ବଜ ପ୍ରଧାନଙ୍କୁ କଦେଲପିଠା ପୀଠର ସମ୍ପାଦକ ଡିଲେଶ୍ୱର ପ୍ରଧାନ, କୁଲତା ସମାଜ ଝାରସୁଗୁଡା ଜ଼ିଲ୍ଲା ସମ୍ପାଦକ ନରୋତ୍ତମ ପ୍ରଧାନ ପ୍ରମୁଖ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ I ପଞ୍ଚଗାଁ ମହିମା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସଙ୍ଗୀତ ପରିବେଷଣ ତଥା ନବୀନ ଭୋଇ ତାଙ୍କ ସ୍ବରଚିତ ସଙ୍ଗୀତ ପରିବେଷଣ କରିଥିଲେ I ପରେ ପୁସ୍ତକ ର ପ୍ରକାଶକ ଜଟାଭୂଷଣ ସାହୁଙ୍କ ପିତା ତଥା ରଂପାଲୁଗା ରେ ଜନ୍ମିତ ଶିକ୍ଷାବ୍ରତୀ ଶିକକ ହରିଶଙ୍କର ସାହୁଙ୍କ ଜନ୍ମ ଶତବାର୍ଷିକ ଅବସରରେ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା I ସ୍ୱର୍ଗତ ଶ୍ରୀ ସାହୁ ଙ୍କ ଛାତ୍ର ଓ ଅନ୍ୟ ବୁଦ୍ଧିଜୀବୀ ସର୍ବଶୀ ଟଙ୍କଧର ସାହୁ, ରାଧାକୃଷ୍ଣ ପଣ୍ଡା, ଉଦିତ ପଟ୍ଟଯୋଶୀ, ବିରଞ୍ଚି ସାହୁ, ଗୋପୀନାଥ ମାଝୀ, ଲକ୍ଷ୍ମଣ ପ୍ରଧାନ, ଅନନ୍ତ ସାହୁ ପ୍ରମୁଖ ସ୍ମୃତିଚାରଣ କରିବା ସହ ହୀରାକୁଦ ବିସ୍ଥାପନର ଅନୁଭୂତି ବଖାଣି ଥିଲେ I