ରାଜ୍ୟସଭା ନିର୍ବାଚନ: ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ


ଭୁବନେଶ୍ବର: ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ । ଜଗନ୍ନାଥ ପ୍ରଧାନ ଆଜି କରିବେ ପ୍ରାର୍ଥିପତ୍ର ପ୍ରତ୍ୟାହାର । ମମତା ମହାନ୍ତ ରାଜ୍ୟସଭା ପାଇଁ ରହିବେ ବିଜେପି ପ୍ରାର୍ଥୀ । ଏନେଇ ନିଜେ ଜଗନ୍ନାଥ ସୂଚନା ଦେଇଛନ୍ତି ।

ଅଗଷ୍ଟ ୨୧ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ସ୍ୱାଧୀନ ଭାବେ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ । ୧୦ ଜଣ ବିଜେପି ବିଧାୟକଙ୍କ ଉପସ୍ଥିତିରେ ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଥିଲେ । ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇ ନଥିବା ବେଳେ ସେ କାହିଁକି ନାମାଙ୍କନ ଦାଖଲ କରିଥିଲେ, ଏବେ କାହିଁକି ପ୍ରତ୍ୟାହାର କରିବେ ତାହା ଜଣାପଡ଼ିନାହିଁ ।

ଅନ୍ୟପକ୍ଷରେ ରାଜ୍ୟସଭା ପାଇଁ କୁଡୁମୀ ସମ୍ପ୍ରଦାୟର ନେତ୍ରୀ ମମତା ମହାନ୍ତଙ୍କୁ ବିଜେପି ପ୍ରାର୍ଥୀ କରିଛି । ଅଗଷ୍ଟ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜୟ ସିଂହ ତୋମାରଙ୍କ ପରି ବହୁ ବରିଷ୍ଠ ନେତା ଉପସ୍ଥିତରେ ସେ ନାମାଙ୍କନ ଦାଖଲ କରିଥିଲେ ।

ମମତା ହେଉଛନ୍ତି କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ଓ ଶିକ୍ଷିତ ନେତ୍ରୀ । ମମତା ୨୦୨୦ ମସିହା ଏପ୍ରିଲ ୩ ତାରିଖରେ ବିଜେଡି ତରଫରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ସାଧାରଣ ନିର୍ବାଚନ ପରେ ପରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ବେଳେ ବିଜେଡି ବିରୋଧରେ ଅସନ୍ତୋଷ ଝାଡିବା ସହ ସେ ବିଜେପିରେ ସାମିଲ୍‌ ହୋଇଥିଲେ ।