ସମ୍ବଲପୁର:ଗୋବିନ୍ଦତୋଲା ଦୁର୍ଗାପୂଜା ମଣ୍ଡପ ନିର୍ମାଣ କୁ ନେଇ ଉପୁଜିଥିବା ବିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବସିଲାଣି l ସୂଚନା ଯୋଗ୍ୟ ଯେ, ଗୋବିନ୍ଦତୋଲା ଛକ ରେ ଆୟୋଜିତ ହେଉଥିବା ଦୁର୍ଗାପୂଜା ର ମଣ୍ଡପ ଦୀର୍ଘ ବର୍ଷ ହେଲା ନିର୍ମିତ ହୋଉଥିଲା ଓ ରାସ୍ତା ପ୍ରଶାସ୍ତିକରଣ ସମୟରେ ମଣ୍ଡପ କୁ ଜିଲ୍ଲା ପ୍ରଶାସନ ଓ ଦୁର୍ଗାପୂଜା କମିଟି ର ସହମତି କ୍ରମେ ଭାଙ୍ଗି ଦିଆଯାଇଥିଲା ଏବଂ ରାସ୍ତା ପ୍ରଶାସ୍ତିକରଣ ପରେ ଦୁର୍ଗାପୂଜା ମଣ୍ଡପ କୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରିଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା l ଏଇ କିଛି ଦିନ ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥାନ ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ ବେଳେ କିଛି ବ୍ୟକ୍ତି ମଣ୍ଡପ ନିର୍ମାଣ କୁ ବିରୋଧ କରିଥିଲେ ଯଦ୍ୱାରା ଏକ ଅସ୍ୱାଭାବିକ ପରିସ୍ଥିତି ଉପୁଜିଥିଲା l
ଯେହେତୁ ସେହି ସ୍ଥାନରେ ୧୯୮୭ ମସିହାରୁ ଦୁର୍ଗାପୂଜା ମଣ୍ଡପ ଥିଲା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସହମତି ରେ କିଛି ଦିନ ପରେ ମଣ୍ଡପ ନିର୍ମାଣ କରାଯିବାକୁ ପ୍ରତିଶୃତି ଦିଆଯାଇଥିଲା ଓ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରତିଶୃତି ମୁତାବକ ଦୁର୍ଗାପୂଜା ମଣ୍ଡପ ନିର୍ମାଣ କରାଯାଉଛି, ତାହେଲେ ଏହି ବିବାଦ କାହିଁକି ବୋଲି ଦୁର୍ଗାପୂଜା କମିଟି ପକ୍ଷରୁ ମିଡ଼ିଆ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି l ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ପୂର୍ବରୁ ଥିବା ମଣ୍ଡପ ର ବାମ ପାର୍ଶ୍ଵ ରେ ୨୨ ଫୁଟ ର ରାସ୍ତା ଥିବା ବେଳେ ବର୍ତ୍ତମାନ ୩୫ ଫୁଟ ର ରାସ୍ତା ଦିଆଯାଇଛି, ସେହିପରି ମଣ୍ଡପ ର ଡାହାଣ ପାର୍ଶ୍ଵ ରେ ୧୫ ଫୁଟ ରାସ୍ତା ଥିବା ବେଳେ ବର୍ତ୍ତମାନ ୨୫ ଫୁଟ ର ରାସ୍ତା ଦିଆଯାଉଛି l ତାପରେ ଯାତାୟାତ ପାଇଁ ପ୍ରତିବନ୍ଧକ କେଉଁଠି ରହୁଛି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି l
ଏହି ମର୍ମ ରେ ଦୁର୍ଗାପୂଜା କମିଟି ର ସଭାପତି ପ୍ରଦୀପ ପାଢ଼ୀ ଙ୍କର ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସାକ୍ଷାତ କରି ମଣ୍ଡପ ନିର୍ମାଣ ରେ ଉପଜିଥିବା ବିବାଦ ବିଷୟରେ ଅବଗତ କରାଇଥିଲେ ଏବଂ ଏହି ବିଷୟରେ ଜିଲ୍ଲା ପ୍ରଶାସନ ଙ୍କୁ ମଧ୍ୟ୍ୟ ଅବଗତ କରଯାଇଥିବା ବିଷୟ ଆଲୋଚନା କରିଥିଲେ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି l
ଶ୍ରୀ ପାଣିଗ୍ରାହୀ ଏହା ମଧ୍ୟ କହିଛନ୍ତି ଯେ, ଦୁର୍ଗାପୂଜା ଯେହେତୁ ପାଖେଇ ଆସିଲାଣି ଏବଂ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି, ତେଣୁ ଆୟୋଜନ କମିଟି ର ଯୁବ ଗୋଷ୍ଠି ଏହି ମଣ୍ଡପ ନିର୍ମାଣ ବିବାଦ କୁ ନେଇ ଉତକ୍ଷିପ୍ତ ହୋଇବସିଲେଣି ଯାହାକି କମିଟି ପାଇଁ ଚିନ୍ତା ରେ ପକାଇଛି l ତେଣୁ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ପୂର୍ତ୍ତ ବିଭାଗ ଓ ମହାନଗର ନିଗମ କର୍ତ୍ତୃପକ୍ଷ ଏହି ସମ୍ବେଦନଶୀଳ ସମସ୍ୟା ର ସମାଧାନ ସହ ଗୁରୁତ୍ୱର ସହ ଆଗେଇ ଆସିବାକୁ ଦୁର୍ଗାପୂଜା କମିଟି ପକ୍ଷରୁ ଶ୍ରୀ ପାଣିଗ୍ରାହୀ ନିବେଦନ କରିଛନ୍ତି l କାରଣ ଏହି ମଣ୍ଡପ ନିର୍ମାଣ ପୂର୍ତ୍ତ ବିଭାଗ ଭାଙ୍ଗିଥିଲା ଓ ସେମାନେ ହିଁ ନିର୍ମାଣ କରୁଛନ୍ତି l ଏହି ବିଷୟର ସମାଧାନ ପାଇଁ ବାରମ୍ବାର ବିରୋଧୀ ପକ୍ଷକୁ ସମାଧାନ ପାଇଁ ଡାକରା ହେଲେ ବି ସେମାନେ ବୈଠକ କୁ ଆସୁନାହାନ୍ତି l ତେଣୁ, ଆଗକୁ ଆଉ ସମୟ ବି ନାହିଁ, ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ସମସ୍ୟା ର ସମାଧାନ ପାଇଁ ତଥା କୌଣସି ଅପ୍ରିତିକର ପରିସ୍ଥିତି କୁ ଏଡାଇବାକୁ ଶୀଘ୍ର ହସ୍ତକ୍ଷେପ କରୁ ବୋଲି ଦୁର୍ଗାପୂଜା କମିଟି ପକ୍ଷରୁ ଶ୍ରୀ ପାଣିଗ୍ରାହୀ ଏହି ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି l