ସ୍ମାର୍ଟ ମିଟର ସଂପୂର୍ଣ୍ଣ ରୂପେ ସୁରକ୍ଷିତ ଏବଂ ବିଶ୍ୱାସ ଯୋଗ୍ୟ – ଟିପିଡବ୍ଲ୍ୟୁଓଡିଏଲ୍


ସମ୍ବଲପୁର:ସମୟ ପରିବର୍ତ୍ତନ ଓ ବୈଷୟିକ ଜ୍ଞାନକୌଶଳର ଉନ୍ନତି ହେବା ସଙ୍ଗେ ସଙ୍ଗେ ବିଦ୍ୟୁତ୍ କ୍ଷେତ୍ରରେ ମଧ୍ୟ ନୂତନ ଜ୍ଞାନକୌଶଳର ଉଦ୍ଭାବନ ଓ ଏହାର ପ୍ରୟୋଗ ବଳରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଅଣାଯାଇଅଛି । ସ୍ମାର୍ଟ ମିଟର ଏହାର ଏକ ଉଦାହରଣ ମାତ୍ର । ଏହି ସ୍ମାର୍ଟ ମିଟର ଉଦ୍ଭାବନ ହେବା ପରେ ଏହାକୁ ଭିନ୍ନ ଭିନ୍ନ ସ୍ତରରେ ପରୀକ୍ଷା ନିରୀକ୍ଷା କରାଯାଇଅଛି ଏବଂ ସରକାରଙ୍କ ଅନୁମତି ପ୍ରାପ୍ତ ସଂସ୍ଥାମାନଙ୍କ ଦ୍ୱାରା ସ୍ୱୀକୃତି ଦିଆଯାଇଅଛି । ସ୍ମାର୍ଟ ମିଟରର ପରିଚାଳନା କରିବା ଦ୍ୱାରା ପୂର୍ବରୁ ଏହା ବାବଦରେ ପୁଃଙ୍ଖାନୁପୁଃଙ୍ଖ ଭାବେ ଅନୁଧ୍ୟାନ କରି ଭାରତ ସରକାରଙ୍କର ଶକ୍ତି ମନ୍ତ୍ରାଳୟର ୨୦୨୧ ମସିହା ଅଗଷ୍ଟ ୧୭ ତାରିଖ ଦିନ ଗେଜେଟ୍ ବିଜ୍ଞପ୍ତି ସଂଖ୍ୟା TG/DL/E/19082012-229126 ଦ୍ୱାରା ଭାରତରେ ଅବସ୍ଥିତ ସମସ୍ତ ବିଦ୍ୟୁତ୍ କମ୍ପାନୀ ମାନଙ୍କୁ ସ୍ମାର୍ଟ ମିଟର ପ୍ରଚଳନ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାକୁ ଅନୁଧ୍ୟାନ କରି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ମଧ୍ୟ ସ୍ମାର୍ଟ ମିଟରର ପ୍ରଚଳନ ନିମନ୍ତେ ଓଡ଼ିଶା ରାଜ୍ୟରେ ଅବସ୍ଥିତ ସମସ୍ତ ବିଦ୍ୟୁତ୍ ବିତରଣ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ଯାଇ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ୍ ସମସ୍ତ ପ୍ରକାରର ଗ୍ରାହକମାନଙ୍କ ନିକଟରେ ସ୍ମାର୍ଟ ମିଟର ଲଗାଇବାର କାର୍ଯ୍ୟ ଗତ ୨ ବର୍ଷ ପୂର୍ବେ ଆରମ୍ଭ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଆମେ ଗ୍ରାହକ ତଥା ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରିବାକୁ ଚାହୁଁଅଛୁ ଯେ, ସ୍ମାର୍ଟ ମିଟରର ପ୍ରଚଳନ ଦ୍ୱାରା ଗ୍ରାହକମାନେ ବିଭିନ୍ନ ପ୍ରକାରର ତଥ୍ୟ ଏହି ମିଟର ଜରିଆରେ ପାଇପାରିବେ ଏବଂ ଏହା ଦ୍ୱାରା ବିଦ୍ୟୁତ୍ ବ୍ୟବହାରର ଆବଶ୍ୟକତାକୁ ସଂପୂର୍ଣ୍ଣ ରୂପେ ନିଜର ଆୟତ୍ତାଧିନ କରି ବିଦ୍ୟୁତ୍ ଅପଚୟକୁ ରୋକିପାରିବେ I ଏହା ସମସ୍ତ ପ୍ରକାରର ଯଥା- ଶିଳ୍ପ କ୍ଷେତ୍ର, କୂଟୀର ଶିଳ୍ପ, ସରକାରୀ କାର୍ଯ୍ୟଳୟ, ଘରୋଇ ଗ୍ରାହକ, ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କ ପାଇଁ ପ୍ରଚଳନ କରାଯାଉଛି । ସ୍ମାର୍ଟ ମିଟର ଦ୍ୱାରା ଗ୍ରାହକମାନେ କିପରି ଭାବେ ଉପକୃତ ହେବେ ଏହାର ଏକ ଦୃଷ୍ଟାନ୍ତ ପ୍ରକାଶ କରାଗଲା । ଗାହକଙ୍କ ବିଦ୍ୟୁତ୍ ବ୍ୟବହାର ପ୍ରଣାଳୀ ସ୍ମାର୍ଟ ମିଟରରେ ଦୀର୍ଘଦିନ ଧରି ରହିଥାଏ । ଗ୍ରାହକ ନିଜର ଆବଶ୍ୟକ ମୁତାବକ ସ୍ମାର୍ଟ ମିଟରରୁ ତଥ୍ୟ ବାହାର କରି ଅନୁଧ୍ୟାନ କରିପାରିବେ । ଏହି ମିଟର ସଂପୂର୍ଣ ରୂପେ ସୁରକ୍ଷିତ ଏବଂ ସଠିକ୍ ଭାବରେ ବିଦ୍ୟୁତ୍ ବ୍ୟବହାରର ୟୁନିଟ୍ ହିସାବ କରିଥାଏ I ଗ୍ରାହକଙ୍କୁ ପ୍ରତ୍ୟେକ ମାସରେ ତାଙ୍କର ବିଦ୍ୟୁତ୍ ବିଲ୍ ପାଇବା ସକାଶେ ମିଟର ରିଡର୍ ଘରକୁ ଘର ବୁଲି ମିଟର ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରି ବିଦ୍ୟୁତ୍ ବିଲ୍ ବାହାର କରିବା ନିମନ୍ତେ ନିର୍ଭର କରିବାକୁ ପଡିବ ନାହିଁ । ଗ୍ରାହକମାନେ ପ୍ରତ୍ୟେକ ୩୦ ଦିନ ବ୍ୟବଧାନରେ ନିଜର ବିଦ୍ୟୁତ୍ ବିଲ୍ ସଠିକ୍ ୟୁନିଟ୍ ସହ ପାଇପାରିବେ ଯାହା ଫଳରେ ପ୍ରଚଳିତ ସ୍ଲାବ ଅନୁସାରେ ବିଦ୍ୟୁତ୍ ବିଲ୍ର ପରିମାଣ ନିର୍ଦ୍ଧାରିତ ହୋଇପାରିବ । ସ୍ମାର୍ଟ ମିଟରରେ ଗ୍ରାହକ ଅଗ୍ରିମ ଦେୟ ମଧ୍ୟ ଦେଇ ପାରିବେ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଉପଭୋଗ କରିପାରିବେ । ବିଦ୍ୟୁତ୍ ଗ୍ରାହକ ତଥା ଜନସାଧାରଣ ଜ୍ଞାନକୌଶଳର ଗବେଷଣାରୁ ପ୍ରାପ୍ତ ସମସ୍ତ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତି ସବୁ ସମୟରେ ବ୍ୟବହାର କରିଥାନ୍ତି । ଏହା ଦେଶର ତଥା ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିର ଜୀବନ ଶୈଳୀକୁ ପରିବର୍ତ୍ତନ କରିବା ସହିତ ମାନବ ସମ୍ବଳର ଉନ୍ନତି କରିଥାଏ । ଏହି ସନ୍ଧର୍ଭରେ ଗ୍ରାହକ ତଥା ଜନସାଧାରଣଙ୍କୁ ବିନିତ ଅନୁରୋଧ କରୁଅଛୁ ଯେ, କୌଣସି ପ୍ରକାରର ବିଭ୍ରାନ୍ତିକର ସମ୍ବାଦ କିମ୍ବା ଅପପ୍ରଚାରକୁ ଦୃଷ୍ଟି ନଦେଇ ଦେଶରେ ତଥା ରାଜ୍ୟରେ ପ୍ରଚଳିତ ଆଇନ ସମ୍ମତି ସହ ବିଦ୍ୟୁତ୍ ବିତରଣ କରୁଥିବା କଂପାନୀ ପ୍ରତି ବିଶ୍ୱାସ ପ୍ରକଟ କରନ୍ତୁ । ଯଦି କୈାଣସି ପ୍ରକାରର ସନ୍ଦେହ ମନକୁ ଆସେ ବା ଦୃଷ୍ଟାନ୍ତ ପରିଲକ୍ଷିତ ହୁଏ ତାହେଲେ TPWODL ନିକଟତମ କାର୍ଯ୍ୟାଳୟକୁ ଯୋଗାଯୋଗ କରି ରାଜଗାଙ୍ଗପୁର, ବୁର୍ଲା ଏବଂ ବଲାଙ୍ଗୀର ଠାରେ କଂପାନୀ ଦ୍ୱାରା ପ୍ରତିଷ୍ଠା ହୋଇଥିବା ମିଟର ପରିକ୍ଷା କେନ୍ଦ୍ରରେ ନିଜ ଉପସ୍ଥିତିରେ ନିଜର ମିଟରକୁ ପରିକ୍ଷା କରାଇନେଇ ପାରିବେ । ଗ୍ରାହକମାନଙ୍କର ମିଟର ସମ୍ବନ୍ଧୀୟ ଅଭିଯୋଗମାନଙ୍କୁ ସଂପୂର୍ଣ ଭାବରେ ପ୍ରାଥମିକତା ଦେବା ପାଇଁ କଂପାନୀର କ୍ଷେତ୍ରୀୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି I ଏହି ପରିପ୍ରେକ୍ଷୀରେ ଆମେ ପୁଣି ଥରେ ପ୍ରକାଶ କରୁଅଛୁ ଯେ, ସ୍ମାର୍ଟ ମିଟର ଦ୍ୱାରା ସଂପୂର୍ଣ ରୁପେ ବିଦ୍ୟୁତ୍ ବ୍ୟବହାରର ୟୁନିଟ୍ ସଠିକ୍ ଭାବରେ ନିରୂପଣ କରାଯାଇଥାଏ ଏବଂ ସଠିକ୍ ବିଲ୍ ପ୍ରଦାନ କରାଯାଇଥାଏ ଏଥିରେ କୈାଣସି ପ୍ରକାର ସନ୍ଦେହର ପ୍ରଶ୍ନ ନାହିଁ ବୋଲି କର୍ପୋରେଟ୍ ଯୋଗାଯୋଗ ଏବଂ ସରକାରୀ ସମ୍ପର୍କ ମୁଖ୍ୟ ଟିପିଡବ୍ଲୁଓଡିଏଲ୍, କର୍ପୋରେଟ୍ କାର୍ଯ୍ୟାଳୟ, ବୁର୍ଲା ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି I