Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜାତିଆଣ ଆକ୍ଷେପ ମାମଲା: ଘଟଣାକୁ ଚପାଇ ଦେବା ପାଇଁ ବିଡିଓଙ୍କ ନାମରେ ପାଲଟା ଅଭିଯୋଗ।

(ପିଇଓଙ୍କୁ ଜାତିଆଣ ଆକ୍ଷେପ ମାମଲା: ଘଟଣାକୁ ଚପାଇ ଦେବା ପାଇଁ ବିଡିଓଙ୍କ ନାମରେ ପାଲଟା ଅଭିଯୋଗ।)
ହାଟଡିହୀ,୮ା୯:କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଉର୍ମିଳା ମୁର୍ମୁଙ୍କୁ ଜାତିଆଣ ଆକ୍ଷେପ, ଗାଳିଗୁଲଜ ଏବଂ ହତ୍ୟା ଧମକ ନେଇ ହାଟଡିହୀ ବ୍ଲକ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ବ୍ଲକ ପିଇଓ ସଂଘ ଅଭିଯୁକ୍ତ ପନ୍ଦାଡ଼ୋ ସରପଞ୍ଚ ସସ୍ମିତା ଓଝାଙ୍କ ଦେଢଶୁର ନିକୁଞ୍ଜ ଓଝାଙ୍କ ଗିରଫ ଦାବି କରି କଲମ ଛାଡ଼ ଆନ୍ଦୋଳନ ଚେତାବନୀ ଦେଇଥିଲେ। ଅଭିଯୋଗ ଆଧାରରେ ବିଡିଓ ପାଣିଗ୍ରାହୀ ଗତ ୬.୯.୨୦୨୪ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନନ୍ଦିପଦା ଥାନାକୁ ନିର୍ଦ୍ଦେଶ ଦେବା ପରେ ଥାନାରେ ମାମଲା(ନଂ ୨୫୫/୨୦୨୪)ରୁଜୁ ହୋଇଥିଲା। ଅଦ୍ୟାବଧି ଅଭିଯୁକ୍ତଙ୍କୁ ଗିରଫ କରାଯାନାହିଁ। ଫଳରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି ହୋଇଛି।
ଅନ୍ୟପକ୍ଷରେ ଉକ୍ତ ଘଟଣାକୁ ଦୁର୍ବଳ କରି ଦେବା ବା ଚପାଇ ଦେବା ପାଇଁ ନିକୁଞ୍ଜଙ୍କ ସମର୍ଥକ କୁହାଯାଉଥିବା କେଶବ ଜେନା ନାମକ ବ୍ୟକ୍ତି ନନ୍ଦିପଦା ଥାନାରେ ବିଡିଓଙ୍କ ନାମରେ ଏକ ସଙ୍ଗିନୀ ଅଭିଯୋଗ କରିଥିବା ବ୍ଲକ କର୍ମଚାରୀମାନେ କହିଛନ୍ତି। ପୋଲିସ ଏକ ପାଲଟା ମାମଲା (ନଂ ୨୫୭/୨୦୨୪) ରୁଜୁ କରିଛି। କେଶବଙ୍କ ଅଭିଯୋଗ ଅନୁସାରେ ଏକ ଉନ୍ନୟନ କାର୍ଯ୍ୟ କରି ବିଲ୍‌ ପାଇ ନ ଥିଲେ। ଏ ବାବଦରେ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ୬.୯.୨୦୨୪ ରେ ବୈଠକ ହୋଇଥିଲା। ସେଠାରେ ବିଡିଓଙ୍କୁ ଦେଖି ବିଲ ବାବଦରେ ପଚାରିବାରୁ ବିଡିଓ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ।
ସୂଚନାଯୋଗ୍ୟ ରାମଚଣ୍ଡୀ ମନ୍ଦିର ଅଞ୍ଚଳଟି ସୋସୋ ଥାନା ଅଧୀନରେ ଯାଉଛି। କିନ୍ତୁ ଅଭିଯୋଗକାରୀ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପଛର ରହସ୍ୟ ଜଣାପଡ଼ିନି। ଦିତୀୟତଃ ଉନ୍ନୟନ କାର୍ଯ୍ୟ ବିଭାଗୀୟ ବିଭାଗ ଦ୍ୱାରା ହେଉଛି। ଅଭିଯୋଗକାରୀ କେଶବ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କ ନାମରେ କାର୍ଯ୍ୟାଦେଶ ନାହିଁ। କାର୍ଯ୍ୟ ତଦାରଖ ଏବଂ ବିଲ ପ୍ରସ୍ତୁତ କରିବା ପାଇଁ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ପ୍ରମୁଖ ଅଛନ୍ତି l କିନ୍ତୁ ଅଭିଯୋଗକାରୀ କେଶବ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ନାମରେ କୌଣସି ବିଲ୍‌ ହେବାର ନାହିଁ। ତେବେ କେଶବଙ୍କ ଅଭିଯୋଗରେ ବିଡିଓ ବିଲ କରୁ ନ ଥିବା ଦର୍ଶାଇବା ଗୁରୁତର ପ୍ରସଙ୍ଗ ସାଜିଛି।
ତୃତୀୟତଃ ବିଡିଓ ଯେଉଁଦିନ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାକୁ ନିର୍ଦ୍ଦେଶ ଦେଲେ ସେହିଦିନ କେଶବ ଏକ ପାଲଟା ଅଭିଯୋଗ ବିଡିଓଙ୍କ ନାମରେ ଦାୟର କରିଛନ୍ତି। ଏପରି ଅଭିଯୋଗକୁ ନେଇ ବ୍ଲକ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗକାରୀ କେଶବ ଏବଂ ଅଭିଯୁକ୍ତ ନିକୁଞ୍ଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଜବାଜ ହେଉଥିବା ଜଣାପଡ଼ିଛି। ବିଡିଓ ପାଣିଗ୍ରାହୀ କହିଛନ୍ତି, ସତ ସବୁବେଳେ ସତ ଅଟେ। ମିଛ କେସ୍‌ କରି କେହି କେବେ ଜିତି ପାରେନି। ମୋ’ ନାମରେ ଅଭିଯୋଗ ଏକ ମିଛ ଅଭିଯୋଗ ଅଟେ। ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି, ବିଡିଓଙ୍କ ନାମରେ ହୋଇଥିବା ଅଭିଯୋଗର ସତ୍ୟତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଆନନ୍ଦପୁର ଡିଏସ୍‌ପି ଘଟଣାର ତଦନ୍ତ କରିବେ।