Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁରବାସୀଙ୍କ ସହ ନୂଆଁଖାଇ ପାଳିଲେ ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ:ନୂଆଁଖାଇ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସାମାଜିକ ଜୀବନଧାରାର ଉଜ୍ଜ୍ୱଳ ପ୍ରତୀକ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ‘ନୂଆଁଖାଇ’ ଆମର ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସାମାଜିକ ଜୀବନଧାରାର ଉଜ୍ଜ୍ୱଳ ପ୍ରତୀକ । ଏହି ପର୍ବ ସମସ୍ତଙ୍କୁ ମିଳିମିଶି କରି ରହିବାର ମହତ ବାର୍ତ୍ତା ଦେଉଛି । ସମ୍ବଲପୁର ଲୋକସଭାର ସେବକ ଭାବେ ଦାୟିତ୍ୱ ନେବା ପରେ ମା’ ସମଲେଇଙ୍କ ଆଶୀର୍ବାଦ ନେଇ ନୂଆଁଖାଇ ପାଳନ କରିବା ମୋ ପାଇଁ ସୌଭାଗ୍ୟର ବିଷୟ ବୋଲି ରବିବାର ସମ୍ବଲପୁରରେ ନୂଆଁଖାଇ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନୂଆଁଖାଇ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଏବଂ ବ୍ୟକ୍ତିବିଶେଷଙ୍କ ସହ ମା’ସମଲେଶ୍ୱରୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ପରେ ସେଠାରେ ମନ୍ଦିର ପରିସରରେ ନବାନ୍ନ ଗ୍ରହଣ କରିଥିଲେ । ନନ୍ଦପଡ଼ା ଠାରେ ଅବସରପ୍ରାପ୍ତ କୃଷି ଅଫିସର ମଦନ ମୋହନ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ସ୍ଵର୍ଣ୍ଣ ମଞ୍ଜରୀ ମିଶ୍ରଙ୍କ ପରିବାର ସଦସ୍ୟଙ୍କ ସହିତ ମଧ୍ୟ କେନ୍ଦ୍ରମନ୍ତ୍ରୀ ନିଜେ ନବାନ୍ନ ଖାଇଥିଲେ । ଏହାବ୍ୟତିତ ସମ୍ବଲପୁର କ୍ଷେତରାଜପୁର ଠାରେ ‘ଓଡ଼ିଶା ପ୍ରାନ୍ତୀୟ ମାରଓ୍ୱାଡ଼ି ଯୁବା ମଞ୍ଚ’ ଦ୍ୱାରା ଆୟୋଜିତ “ନୂଆଁଖାଇ ଭେଟଘାଟ୍-୨୦୨୪”ରେ ମଧ୍ୟ ଯୋଗଦେଇଥିଲେ ।
କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ର ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଏକତା, ସୌହାର୍ଦ୍ଦ୍ୟ ଓ ସଦଭାବନାର ପର୍ବ ନୂଆଁଖାଇ । କଳା, ସଂସ୍କୃତି, କୃଷି ଓ ଭାଇଚାରାର ଅନନ୍ୟ ପର୍ବ । ଆନନ୍ଦ ଓ ଉଲ୍ଲାସ ମନାଇବାର ମହାନ ଅବସର । ଓଡ଼ିଶାର ପାରମ୍ପରିକ ପର୍ବ ‘ନୂଆଁଖାଇ’ରେ ନବାନ୍ନର ସ୍ୱତନ୍ତ୍ରତା ରହିଛି । ପରିବାର ସଦସ୍ୟଙ୍କ ସହ ମିଳିମିଶି କରି ଖାଇବା ସହ ସମାଜରେ ସୁଖ, ଶାନ୍ତି ଓ ପ୍ରତିଷ୍ଠାର ମହତ ବାର୍ତ୍ତା ଦେଉଛି ନୂଆଁଖାଇ । ସମ୍ବଲପୁର ଲୋକସଭାର ସେବକ ଭାବେ ଦାୟିତ୍ୱ ନେବା ପରେ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ନୂଆଁଖାଇ ପାଳନ କରିବା ମୋ ପାଇଁ ଆନନ୍ଦର ବିଷୟ । ସମାଜ ନିର୍ମାଣରେ କୃଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ନୂଆଁଖାଇ ଭଳି ଦିନରେ କୃଷକବନ୍ଧୁଙ୍କ ବିକାଶ ପାଇଁ ଆଜି ଓଡ଼ିଶାରେ ସି.ଏମ୍ କିଷାନ ଯୋଜନାର ଶୁଭାରମ୍ଭ ସହ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଆନୁଷ୍ଠାନିକ ଭାବେ ହେବା ଯୁଗାନ୍ତକାରୀ ପଦକ୍ଷେପ । ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରୁ ଆମ ଓଡ଼ିଶା ଓ ଭାରତ ଆହୁରି ପ୍ରଗତି ପଥରେ ଯାଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଅଯୋଧ୍ୟା ସରୋବର ହାଟପଡା ଘାଟ ଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ସମ୍ୱଲପୁରର ମହାନଦୀ କୂଳବର୍ତ୍ତୀ ଅଞ୍ଚଳକୁ ‘ରିଭରଫ୍ରଣ୍ଟ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ଯୋଜନାରେ ବିକଶିତ କରିବା ଉପରେ ଆଲୋଚନା କରିଥିଲେ । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ସମ୍ବଲପୁର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ କାର୍ଯ୍ୟର କେନ୍ଦ୍ରବିନ୍ଦୁ ହୋଇପାରିବ ବୋଲି କହିଥିଲେ ।
ଏହି ସବୁ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।