ବର୍ଷାରେ ସ୍ଥିତି ବେହାଲ, ଆଜି ୩ ଜିଲ୍ଲାରେ ସ୍କୁଲ ଛୁଟି


ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ପରିସ୍ଥିତି ଅସମ୍ଭାଳ । ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଆଜି ରାଜ୍ୟର ତିନିଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ମାଲକାନଗିରି, ଗଞ୍ଜାମ ଓ କୋରାପୁଟରେ ସମସ୍ତ ସ୍କୁଲ ବନ୍ଦ ରହିଛି । ପରିସ୍ଥିତିକୁ ନଜରରେ ରଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଏହାସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିଛି । ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାର ସ୍କୁଲ ଛୁଟି ନେଇ ଗତକାଲି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଘୋଷଣା କରିଥିଲେ । ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି କରାଯିବା ପରେ କୋରାପୁଟ ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । 

ଅବପାତ ପ୍ରଭାବରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା ପରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । କିନ୍ତୁ ସ୍କୁଲକୁ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କୁ ଆସିବାକୁ କୁହାଯାଇଛି ।  

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସମ୍ଭାବ୍ୟ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିବା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିଛି ଜିଲ୍ଲାରେ ଓଡ୍ରାଫ ଓ ଏନଡିଆରଏଫ ଟିମକୁ ଷ୍ଟାଣ୍ଡବାଏରେ ରଖାଯାଇଥିବା ଜଣାପଡ଼ିଛି ।

ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ପରେ ମାଲକାନଗିରି ଜିଲ୍ଲାରେ ଜଳ ପ୍ରଳୟ ଦେଖିବାକୁ ମିଳିଛି । ଜିଲ୍ଲାର ପୋଟେରୁ ଅଞ୍ଚଳ ପୂରା ଜଳାର୍ଣ୍ଣବ ହୋଇଯାଇଛି । ଏଠାରେ ୨୦୦ରୁ ଅଧିକ ଘର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ପୋଟେରୁ ନଦୀ ଭୟଙ୍କର ରୂପ ଧାରଣ କରିଥିବା ବେଳେ ପୋଟେରୁ ବ୍ରିଜ୍ ଉପରେ ୧୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ତେବେ ରାଜ୍ୟରେ ବନ୍ୟା ସ୍ଥିତି ନ ଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ ।