ବନ ବିଭାଗକୁ ଚକମା ଦେଇ ଖସି ଯାଉଥିବା ବେଳେ ଓଲଟିଲା ପିକଅପ୍ ଭ୍ୟାନ୍


ଧାମନଗର: ବନ ବିଭାଗକୁ ଚକମା ଦେଖାଇ ଖସି ଯାଉଥିଲା ଚୋରା କାଠ ବୋଝେି ପିକଅପ୍ ଭ୍ୟାନ୍ । ହେଲେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା । ଅଳ୍ପକେ ବର୍ତ୍ତି ଗଲେ ଚୋରା କାଠ କାରବାରରେ ସମ୍ପୃକ୍ତ ତିନି ବ୍ୟକ୍ତି । ହେଲେ ଦୁର୍ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯିବାକୁ ସକ୍ଷମ ହୋଇଛନ୍ତି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମଙ୍ଗଳପୁର ପେଟ୍ରୋଲ ପମ୍ପ ନିକଟରେ । ବନ ବିଭାଗ ପିକ୍‌ଅପ୍ ଭ୍ୟାନରୁ ଚୋରା କାଠ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାରରୁ ଅଧିକ ଟଙ୍କା ହେବ ।

ଗତକାଲି ବନ ବିଭାଗର ଏକ ଟିମ୍ ସହିଦନଗରର ବାରୁଅ ଅଞ୍ଚଳର କ୍ଷେତ୍ର ପରିଦର୍ଶନ କରି ସହିଦନଗର ରାସ୍ତା ଦେଇ ଧାମନଗରକୁ ଫେରୁଥିଲେ । ଏହି ସମୟରେ ଭଦ୍ରକ ପଟରୁ ଏକ ଚୋରା କାଠ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ମଙ୍ଗଳପୁର ଦେଇ ଧାମନଗର ଆଡ଼କୁ ଦ୍ରୁତଗତିରେ ଆସୁଥିଲା । ଆନନ୍ଦ ବଜାର ନିକଟରେ ବନ ବିଭାଗ ଉକ୍ତ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ଗାଡ଼ିଟି ଅଟକି ନଥିଲା । ବନ ବିଭାଗ କର୍ମଚାରୀ ଦେଖି ଖସି ଯିବାକୁ ଉଦ୍ୟମ କରିଥିଲା । ବନ ବିଭାଗ କର୍ମଚାରୀ ମଧ୍ୟ ଗାଡ଼ିଟିକୁ ପିଛା କରିଥିଲେ ।

ମଙ୍ଗଳପୁର ଛକ ପେଟ୍ରୋଲ ପମ୍ପ ନିକଟରେ ଗାଡ଼ିଟି ଧାମନଗର ଆଡ଼କୁ ବୁଲିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ଗାଡ଼ିର ଡ୍ରାଇଭର ଓ ହେଲପର ସମେତ ୩ ଜଣ ଫେରାର ହୋଇଯାଇଥିଲେ । ବନ ବିଭାଗ ଚୋର କାଠକୁ ଜବତ କରି ଘଟଣାର ତଦନ୍ତ କରୁଛି ।