Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁରର ଐତିହାସିକ ବଳିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁରର ପ୍ରସିଦ୍ଧ ଐତିହାସିକ ବଳିଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଦେବୋତ୍ତର ଅଧିକାରୀ ତଥା ଉପ-ଜିଲ୍ଲାପାଳ ସୁରଜ କୁମାର ପଟ୍ଟନାୟକ ଅଧ୍ଯକ୍ଷତାରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉପ-ଜିଲ୍ଲାପାଳ ପ୍ରସିଦ୍ଧ ଯାତ୍ରା ଯେପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେଥିପାଇଁ ଉପସ୍ଥିତ ସେବାୟତ ତଥା ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ପୂର୍ବତନ ଦେବୋତ୍ତର ମ୍ୟାନେଜର ନୀଳାମ୍ବର ଶତପଥୀ ଯୋଗଦେଇ ଏହି ଯାତ୍ରାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବା ବେଳେ ଦେବୋତ୍ତର ମ୍ୟାନେଜର ମେଘନାଥ ମନହିରା ଯତ୍ରାର ପୂର୍ବ ବର୍ଷର ଆୟବ୍ୟୟ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀବତ୍ସ ମଲ୍ଲିକ, ପର୍ଶୁରାମ ମିଶ୍ର, ସତ୍ୟ ନାରାୟଣ ତ୍ରିପାଠୀ, ବୈକୁଣ୍ଠ ଶତପଥୀ, ପର୍ଶୁରାମ ମିଶ୍ର, ଲଡୁ କିଶୋର ମଲ୍ଲିକ, ଆନନ୍ଦ ବାରିକ, ଶେଷଦେବ ମେହେର, ମଧୁସୂଦନ ମେହେର, ସୁବାଷ ପଣ୍ଡା, ପବିତ୍ର ତାରିଆ ପ୍ରମୁଖଙ୍କ ସମେତ ବଳିଯାତ୍ରାର ମୁଖ୍ୟ ପୁରୋହିତ ବୁଲୁ ପୁରୋହିତ ଓ ସେବାୟତ ମାନେ ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷର ବଳିଯାତ୍ରା ଆଶ୍ୱିନ ଅମାବାସ୍ୟ (ମହାଳୟା) ଠାରୁ ପ୍ରତିପଦା ପର୍ଯ୍ୟନ୍ତ ୧୬ ଦିନବ୍ୟାପୀ ସୋନପୁରର ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ପ୍ରାୟ ୩୬ଟି ସମ୍ପ୍ରଦାୟର ସେବାୟତମାନେ ଅଂଶଗ୍ରହଣ କରିବେ। ସମଲେଶ୍ଵରୀ ମନ୍ଦିରରେ ଭାଙ୍ଗି ଯାଇଥିବା ଯୋଡାଖମ୍ବ ସ୍ଥାନରେ ନୂତନ ଯୋଡାଖମ୍ବ ପାଇଁ ଆସନ୍ତା ୧୩ ତାରିଖ ଦିନ ଆବଶ୍ୟକ ବୃକ୍ଷ ଛେଦନ କରାଯାଇ ମୁଳାଷ୍ଟମୀ ଦିନ ତନ୍ତ୍ରବିଧି ଅନୁସାରେ ପୂଜା କରାଯାଇ ସ୍ଥାପନ କରାଯିବ। ସେହିଦିନ ରାତ୍ରିରେ ଖଣ୍ଡାଧୁଆ ପର୍ବ ଅନୁଷ୍ଠିତ ହୋଇ ବଳିଯାତ୍ରାର ଆରମ୍ଭ ହେବ। ବଳିଯାତ୍ରା ପୂର୍ବରୁ ଶାକ୍ତିପୀଠ ଗୁଡିକୁ ରଙ୍ଗ କରାଯାଇ ସୁସଜ୍ଜିତ କରାଯିବା ଆଲୋଚନା କରାଯାଇଥିଲା। ଯାତ୍ରା ସମୟରେ ଖମ୍ବେଶ୍ୱରୀ ମନ୍ଦିର ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ନେଇ ବୈଠକରେ ସ୍ଥିର କରାଯାଇ ଥିବାବେଳେ ଆସନ୍ତା ୧୫ ତାରିଖ ପରବର୍ତ୍ତୀ ବୈଠକ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା।