ବୌଦ୍ଧ: କାମ ପାଇଁ କିପଅପ୍ ଭ୍ୟାନରେ ଯାଉଥିଲେ ଶ୍ରମିକ । ଲାଗିଗଲା ଗାଡି ଡ୍ରାଇଭରଙ୍କ ଆଖି । ଆଉ ରାସ୍ତା କଡ଼ରେ ଥିବା ଗଛ ସହ ପିକଅପ ପିଟି ହେବା ପରେ ବିଲକୁ ଓଲଟି ପଡ଼ିଲା । ଏଥିରେ ୯ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତ ଶ୍ରମିକମାନେ ଇଲେକ୍ଟ୍ରି କାମ ପାଇଁ ଦିଗପହଣ୍ଡିରୁ ସୁବର୍ଣ୍ଣପୁର ଅଭିମୁଖେ ଯାଉଥିଲେ ।
ଗାଡ଼ିଟି ବୌଦ୍ଧ ଥାନା ବୁରପଟା ଛକ ଅତିକ୍ରମ କରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଖି ଯାଇଥିଲା । ଫଳରେ ସେ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା ।
ଗାଡ଼ିଟି ଦ୍ରୁତ ଗତିରେ ଥିବାରୁ ତାହା ନିକଟସ୍ଥ ବିଲରେ ପଶି ଓଲଟି ଯାଇଥିଲା । ଗାଡ଼ିରେ ଥିବା ଶ୍ରମିକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଖବର ପାଇ ପୋଲିସ୍ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି । ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।