ଯାଦବ ସମାଜର ନୂଆଁଖାଇ ଭେଟ୍‌ଘାଟ:ଏକତା ଓ ସଂହତି ବିଜୟର ଦ୍ୱାର ଦେଶ-ଲକ୍ଷ୍ମଣ ବାଗ


ସମ୍ବଲପୁର: ଗତ ନିର୍ବାଚନରେ କଣ୍ଟାବାଂଜି ବିଧାନସଭା କ୍ଷେତ୍ରରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବା କଥା ଘୋଷଣା କରାଯିବା ପରେ ମୋ ସାଂଗରେ ଥିବା ବହୁ ସରପଞ୍ଚ, ସମିତି ସଭ୍ୟଙ୍କ ଠାରୁ ଆରମ୍ଭ କରି ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଥମେ ହତାଶ ହୋଇଯାଇଥିଲେ।ଯାଦବ ଭାଇମାନେ କିନ୍ତୁ ଧ‌ୈର୍ଯ୍ୟହରା ନହୋଇ ସାହସ ଦେଇଥିଲେ I ଆଉ ଅନ୍ୟ ଜାତି,ସଂପ୍ରଦାୟ ଠାରୁ ଆରମ୍ଭ କରି ଦଳୀୟ କର୍ମୀ, ସଂଗଠନ ଗୁଡ଼ିକ ମଧ୍ୟରେ ସଂପର୍କର ସେତୁ ବାନ୍ଧି‌ଥିଲେ I ଯାଦବ ସମାଜ ଏକାଠି ହେବା ଯୋଗୁଁ ଗତ ୨୪ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ନବୀନ ପଟ୍ଟନାୟକଙ୍କୁ ପରାଜିତ କରିବା ସମ୍ଭବ ହୋଇଥିଲା I ଏକାଠି ହେଲେ ସବୁ ଅସମ୍ଭବକୁ ସମ୍ଭବ କରିହେବ ବୋଲି କହିବା ସହିତ ଯାଦବ ମାନଙ୍କୁ ପରସ୍ପରର ଅସୁବିଧାର ଛିଡ଼ା ହେବା ଆଉ ସମସ୍ୟାର ମିଳିତ ଭାବେ ମୁକାବିଲା କରିବାକୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଆହ୍ବାନ ଦେଇଛନ୍ତି I ସେ କହିଛନ୍ତି ଏକତା ଓ ସଂହତି ସବୁବେଳେ ବିଜୟର ଦ୍ୱାର ଦେଶ।
ରବିବାର ସମ୍ବଲପୁର ଯାଦବ ସଂଘ ପକ୍ଷରୁ ତପସ୍ବିନୀ ପ୍ରେକ୍ଷାଳୟରେ ଆୟୋଜିତ ଯାଦବ ପ୍ରତିଭା ସମ୍ମାନ ସମାରୋହ ଓ ନୂଆଁଖାଇ ଭେଟ୍‌ଘାଟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ବାଗ ଏହା କହିଥିଲେ I ସମ୍ବଲପୁର ଯାଦବ ସଂଘର ସଭାପତି ଭୋଳାଶଙ୍କର ମହତମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଲୋକକବି ରତ୍ନ ପଦ୍ମଶ୍ରୀ ହଲଧର ନାଗ କହିଲେ, ଭଗବାନ କୃଷ୍ଣ ‌ପ୍ରେମର ଅବତାର ଥିଲେ I କୃଷ୍ଣଙ୍କ ଠାରେ ସମସ୍ତଙ୍କ ପାଇଁ ଅଲଗା ଅଲଗା ପ୍ରେମ ରହିଥିଲା। କୃଷ୍ଣଙ୍କ ପଥ ଅନୁସରଣକରି ଆମେ ସମସ୍ତଙ୍କୁ ଭଲପାଇବା ଉଚିତ I ଭଗବାନ କୃଷ୍ଣଙ୍କ ସବୁବେଳେ ଭଲ କର୍ମ କରିବାକୁ କହିଛନ୍ତି I ଯିଏ ଯେଉଁ କର୍ମ କରୁଛନ୍ତି, ତାହାକୁ ଭଲ ଭାବେ କରିବାକୁ ହେବ I ଏଥି ସହିତ ଯାଦବ ମାନଙ୍କୁ ଏକତାର ପରିଚୟ ଦେବା ପାଇଁ ନିଜ ନାମ ସହିତ ‘ଯାଦବ’ ଶବ୍ଦ ଯୋଡ଼ିବାକୁ ପରାମର୍ଶ ଦେଇଥିଲେ I ମୁଖ୍ୟବକ୍ତା ଧର୍ମଗଡ଼ କଲେଜର ବରିଷ୍ଠ ଅଧ୍ୟାପକ ମାଧବ ଲହଜଲ କହିଥି‌ଲେ, ଯାଦବ ଜାତି ଏକ ଲଢ଼ୁଆ ଜାତି I ଏକ ଶାସକ ଜାତି I ଏବେ କିନ୍ତୁ ସଚେତନତାର ଅଭାବ ରହିଛି I ସଂଗଠିତ ହେବା, ଜୀବନରେ ଭଲ କାମ କରିବା ଏବଂ ନିଜ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଶିକ୍ଷା ସହିତ ନୈତିକତା ଓ ଅଧ୍ୟାତ୍ମିକତାକୁ ଯୋଡ଼ିଲେ ଜୀବନ ଜାଜଲ୍ୟମାନ ହେବ ବୋଲି କହିଥିଲେ I ଏହି ଅବସରରେ ଶିବଶମ୍ଭୁ ଯାଦବଙ୍କୁ ‘ଯାଦବଶ୍ରୀ’ ସମ୍ମାନ ଦିଆଯିବା ସହିତ ମେଧାବୀ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଲଷ୍ମୀପ୍ରସାଦ ବାଗ ମଞ୍ଚ ପରିଚାଳନା କରିଥିବାବେଳେ ସଂଘର ସଂପାଦକ ହେମନ୍ତ ଗହୀର ବିବରଣୀ ପାଠ ଓ ମୁଖ୍ୟ ପରାମର୍ଶଦାତା କୃଷ୍ଣଚନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ I ଉପସଭାପତି ରାମଚନ୍ଦ୍ର ପୋଢ଼, ଉପଦେଷ୍ଟା ନରେଶ ବଗର୍ତ୍ତୀ,ସହ ସଂପାଦକ ଗୁଣନିଧି ରାଉତ, କୋଷାଧ୍ୟକ୍ଷ ଜୟକିଶୋର ଜାଲଙ୍କ ସହିତ ଲେଲୁର୍ଯ୍ୟ ନାଗ, ଉଜ୍ୱଳ ମହାକୁର, ବିଶ୍ଵାମିତ୍ର ନାଗ, ଅର୍ଜୁନ ପୋଢ଼, ସୁବ୍ରତ ବଗର୍ତ୍ତୀ, ଭାଗିରଥି ଖର୍ସେଲ, ଗୋରେଖନାଥ ଚାଁର, ସରୋଜିନୀ ବନଛୋର, ବିଜୟଲଷ୍ମୀ ବେହେରା, ଭୂମିସୂତା ବଗର୍ତ୍ତୀ, ହରିହର ଷଣ୍ଢ, ରାଜୁ ପୋଢ଼, ଲୋକନାଥ ଅହୀର, ନବ ଜାଲ, ଜଗଦୀଶ ମଲ୍ଲିକ, ଘନାଶ୍ୟାମ ମହାକୁର, ମନବୋଧ ବଗର୍ତ୍ତୀ, କାନନ ନାଗ, ଅନିଲ ବଛା, ନିଖିଳ ନାଗ, ଅଲେଖ ଘିବେଲା ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।