ପାଣି ପାଇଁ ହାଇପାଇଁ,କାମ ସରୁନି ପାନୀୟଜଳ ଯୋଗାଣ ପ୍ରକଳ୍ପର


   ସମ୍ବଲପୁର:ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ପିଇବା ପାଣି ଯୋଗାଇ ଦେବାକୁ କେନ୍ଦ୍ର ସରକାର ହରଘର ଜଳ ଯୋଜନା କାର୍ଯ୍ଯକାରୀ କରିଛନ୍ତି। ହେଲେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।୨୦୨୨/ ୨୩ରୁ ଆରମ୍ଭ ହୋଇଥିବା ମେଗା ପାନୀୟଜଳ ଯୋଗାଣ କାମର ଗ୍ରାଫ ଉପର ମୁହାଁ ହେବା ପରିବର୍ତ୍ତେ ଆରଡବ୍ଲ୍ୟୁଏସଏସ(ଗ୍ରାମ୍ଯ ପାନୀୟଜଳ ଯୋଗାଣ ଓ ପରିମଳ)କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଓ ଖାମଖିଆଲି ମନୋଭାବ ଯୋଗୁଁ ନିମ୍ନଗାମୀ ହେଉଥିବା ଦେଖିବାକୁ ମିଳିଛି।ଜଳ ଯୋଗାଣ ପାଇଁ ୫୦ପ୍ରତିଶତ ପାଇପ ବିଛେଇ କାମ ସରିଥିଲେ ହେଁ ବାକି ୫୦ପ୍ରତିଶତ କାମ ବିଭାଗୀୟ ଅନୁମୋଦନ ବିଳମ୍ବ ଯୋଗୁଁ ଅଟକି ରହିଛି।ସେହିପରି ସିଡବ୍ଲୁଆର (କ୍ଲିୟର ୱାଟର ରିଜର୍ଭର) ,ଆଇବିପିଏସ (ଇଣ୍ଟରନାଲ ବୁଷ୍ଟିଙ୍ଗ ପମ୍ପ ସିଷ୍ଟମ),ପମ୍ପ ଡିଜାଇନ,ଜାତୀୟ ରାଜପଥ ଅନୁମତି,ବିଦ୍ୟୁତ ସବଷ୍ଟେସନ ଆଦି ଅନୁମୋଦନ ଓ ମଞ୍ଜୁରୀପ୍ରାପ୍ତ ହୋଇନଥିବାରୁ କାମ ଆଗେଇ ପାରୁ ନଥିବା ଠିକା ସଂସ୍ଥା କହୁଛି।ଖୋଦ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏଭଳି ବିଭାଗୀୟ ବ୍ୟତିକ୍ରମ ଯୋଗୁଁ ଧାର୍ଯ୍ଯ ଅବଧି ମଧ୍ଯରେ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହି ମେଗା ପାନୀୟଜଳ ପ୍ରକଳ୍ପ ଟେଣ୍ଡର ପାଇଥିବା ଠିକାସଂସ୍ଥାକୁ ବିଭାଗୀୟ କର୍ତ୍ତୃପକ୍ଷ ସହଯୋଗ କରୁ ନଥିବାରୁ ପ୍ରକଳ୍ପ କାମ ମନ୍ଥରଗତିରେ ଚାଲିଥିବା କୁହାଯାଉଛି।
     ମିଳିଥିବା ସୂଚନା ଅନୁସାରେ,ବାମରା ବ୍ଲକର ୧୭ ଓ କୁଚିଣ୍ଡା ବ୍ଲକର ୧୩ପଞ୍ଚାୟତ ଏଭଳି ୩୦ ପଞ୍ଚାୟତକୁ ନେଇ ମେଗା ପାନୀୟଜଳ ଯୋଗାଣ ପାଇଁ କୋଲକାତାର ଲେୟର ପାୱାର ଓ ଇନଫ୍ରା ପ୍ରାଇଭେଟ ଲିଃ ନାମକ ଏକ ଠିକାସଂସ୍ଥା ୧୬୨କୋଟି ୯୮ଲକ୍ଷ ୬୪ ହଜାର ୫୭୭ ଟଙ୍କା ମୂଲ୍ୟର ଟେଣ୍ଡର ନେଇ କାମ ଆରମ୍ଭ କରିଛି। ଏହି ଦୁଇଟି ବ୍ଲକର ୨୧୭ ଗୋଟି ଗ୍ରାମର ପ୍ରତି ଘରକୁ ପାଇପ ଯୋଗେ ପିଇବା ପାଣି ସଂଯୋଗ ହେବାର ପ୍ରାବଧାନ ରହିଥିବା ବେଳେ ଏଥିରେ ସମୂଦାୟ ୨ଲକ୍ଷ ୭୫ହଜାର ୧୭୮ଲୋକ ଉପକୃତ ହେବେ।୨୦୨୨ଜୁନ ୮ରେ କାର୍ଯ୍ୟ ଆରମ୍ଭ ହୋଇ ୨୦୨୪ ଜୁନ ୭ରେ ଏହା ସମ୍ପନ୍ନ କରିବାକୁ ଠିକାସଂସ୍ଥା ଚୁକ୍ତିନାମା କରିଥିଲା।ମାତ୍ର ବିଭାଗୀୟ ତୃଟି କାରଣରୁ ଏହା ସଂଶୋଧନ ହୋଇ ୨୦୨୫ ଜୁନ ୭ତାରିଖରେ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ପାଇଁ ଲକ୍ଷ୍ଯ ଧାର୍ଯ୍ଯ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି।ଝାରସୁଗୁଡ଼ା ଜିଲ୍ଲା ଇବ ନଦୀରୁ ଜଳ ଯୋଗାଣ ହୋଇ ଲଇକେରା ବ୍ଲକର ବରହାମୂଷା ଏବଂ କୁଚିଣ୍ଡା ବ୍ଲକର ଜୁନାନୀ ଠାରେ ପ୍ରାୟ ୨୦ ଇଏମଏଲଡି ସଂରକ୍ଷଣ ବିଶିଷ୍ଟ ଟାଙ୍କିରୁ ଏହା ବାମରା ବ୍ଲକର ୧୭ଗୋଟି ଏବଂ କୁଚିଣ୍ଡା ବ୍ଲକର ୧୩ଗୋଟି ପଞ୍ଚାୟତକୁ ଜଳଯୋଗାଣ ହେବାର ଯୋଜନା ରହିଛି।ଏଥିପାଇଁ ୩୦ଗୋଟି ପଞ୍ଚାୟତରେ ଗୋଟିଏ ଲେଖାଏଁ ସୁଉଚ୍ଚ ଜଳ ସଂରକ୍ଷଣ ଟାଙ୍କିରୁ ପ୍ରତି ଘରକୁ ଜଳ ଯୋଗାଣ ବ୍ୟବସ୍ଥା ରହିଥିବାରୁ ଟାଙ୍କି କାମ ନିର୍ମାଣ ଚାଲିଛି।ଏହାଛଡା ଜଳ ଯୋଗାଣ ପାଇଁ ବିଭିନ୍ନ ଗ୍ରାମରେ ପାଇପ ବିଛେଇ କାମ ମଧ୍ଯ ଚାଲିଛି।ଚୁକ୍ତିନାମା ମୁତାବକ ପାଇପ ଲାଇନ କାମ ୫୦ ପ୍ରତିଶତ ସରିଥିବା ବେଳେ ଆଉ ୫୦ ପ୍ରତିଶତ ବିଭାଗୀୟ ମଞ୍ଜୁରୀ ମିଳି ନଥିବା ଯୋଗୁଁ କାମ ଅଟକି ରହିଥିବା କୁହାଯାଉଛି।ସେହିପରି ବାମରା ବ୍ଲକର ବାବୁନିକ୍ତିମାଲ,ରଙ୍ଗିଆଟିକିରା, କୁଟାରିମାଲ ଓ କୁଚିଣ୍ଡା ବ୍ଲକର କେବଳ କୁଟୁରାଚୁଆଁ ପଞ୍ଚାୟତର ଟାଙ୍କି କାମ ସରିଥିବା ଦେଖିବାକୁ ମିଳିଥିବା ବେଳେ ୧୦ରୁ ୧୨ଟାଙ୍କି କାମ ବଟମ ଲେଭେଲ ଭର୍ଟିକାଲ ପର୍ଯ୍ୟନ୍ତ ଯାଇଛି।ଅଧିକାଂଶ ଟାଙ୍କି କାମ ୫୦ପ୍ରତିଶତ ତଳେ ଥିବା ବେଳେ କେତେକ ପଞ୍ଚାୟତରେ କେବଳ କଲମ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ରବଗା,ବାଙ୍କେ ଓ କୁଲେଇଗଡ ପଞ୍ଚାୟତରେ ଏପର୍ଯ୍ୟନ୍ତ ଟାଙ୍କି କାମ ଆରମ୍ଭ ହୋଇନଥିବା ଦେଖିବାକୁ ମିଳିଛି।ମେଗା ଜଳଯୋଗାଣ ପ୍ରକଳ୍ପ ପାଇଁ ଟେଣ୍ଡର ନେଇଥିବା ଠିକାସଂସ୍ଥାକୁ ଡିଜାଇନ ସହ ଲେଆଉଟ ଦେଇ କାମ ପାଇଁ ବିଭାଗ ପକ୍ଷରୁ ଜମି କ୍ଲିଅରାନ୍ସ କରି କାମ ତ୍ୱରାନ୍ୱିତ କରିବା ବଦଳରେ ଆରଡବ୍ଲ୍ୟୁଏସଏସ ବିଭାଗ ଆଦୌ ସହଯୋଗ କରୁ ନଥିବା ଯୋଗୁଁ ପ୍ରକଳ୍ପ କାମରେ ସେଭଳି ଆଶାନୂରୁପ ଅଗ୍ରଗତି ପରିଲକ୍ଷିତ ହେଉନାହିଁ।କାମ ଆରମ୍ଭ ପ୍ରାୟ ଦୁଇ ବର୍ଷ ଅତିକ୍ରାନ୍ତ ହୋଇଥିବା ବେଳେ ୨୦୨୫ ଜୁନ ୭ରେ କାମ ସମାପନ ପାଇଁ ଅବଧି ରହିଛି।ତେବେ ମୋଟା ମୋଟି ଭାବେ ପ୍ରାୟ ୪୦ ପ୍ରତିଶତ କାମ ହୋଇଥିବା ବେଳେ ଆଉ ମାତ୍ର ୧୧ ମାସ ମଧ୍ଯରେ ଏହା କିଭଳି ସମ୍ପୂର୍ଣ୍ଣ ହେବ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଅନ୍ୟ ପକ୍ଷରେ ପାଇପ ଲାଇନ,ସିଡବ୍ଲୁଆର, ଆଇବିପିଏସ, ପମ୍ପ ଡିଜାଇନ, ଜାତୀୟ ରାଜପଥ ଅନୁମତି ସହ ବିଦ୍ୟୁତ ସବଷ୍ଟେସନ ପାଇଁ ଏ ପର୍ଯ୍ୟନ୍ତ ଅନୁମୋଦନ ହୋଇ ନପାରି ସ୍ଥଗିତ ରହିଛି। ବାରମ୍ବାର ଅନୁରୋଧ ପରେବି ଏହାର ଅନୁମୋଦନ ଓ ମଞ୍ଜୁରୀ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ତତ୍ପରତା ଦେଖାଇ ନଥିବାରୁ କାମ ଅଗ୍ରଗତିର ପ୍ରତିବନ୍ଧକ ସୃଷ୍ଟି ହେଉଥିବା ଠିକାସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ସନ୍ତୋଷ କୁମାର ମିଶ୍ର କହନ୍ତି।ପ୍ରକାଶ ଥାଉକି ବରହାମୂଷାରୁ ସିଧାସଳଖ ବାମରା ବ୍ଲକ ଲରିଆପାଲି ପଞ୍ଚାୟତର ନୂଆଁଡିହି ସଂରକ୍ଷଣ ଟାଙ୍କି ମାଧ୍ୟମରେ ବାମରା ଓ କୁଚିଣ୍ଡା ବ୍ଲକର ୩୦ପଞ୍ଚାୟତକୁ ଜଳ ଯୋଗାଣ ନିମନ୍ତେ ଚୁକ୍ତିନାମା ହୋଇଥିଲା।ତଦଅନୁଯାଇ ଠିକାସଂସ୍ଥା ନୂଆଁଡିହି ଠାରେ ଜଳସଂରକ୍ଷଣ ଟାଙ୍କି ନିର୍ମାଣ କାମ ସମ୍ପୂର୍ଣ୍ଣ କରିଥିଲା।ମାତ୍ର ପରବର୍ତ୍ତୀ ସମୟରେ ଆରଡବ୍ଲ୍ୟୁଏସଏସ ପକ୍ଷରୁ ଏହାର ପରିବର୍ତ୍ତନ କରି କୁଚିଣ୍ଡା ବ୍ଲକର ଜୁନାନୀ ଠାରେ ଏକ ନୂତନ ଜଳସଂରକ୍ଷଣ ଟାଙ୍କି ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି।ଫଳରେ ବରହାମୂଷା ଟଙ୍କିରୁ ବାମରା ବ୍ଲକର ୧୭ପଞ୍ଚାୟତ ଏବଂ ନୂତନ ଭାବେ ନିର୍ମାଣ ହେବାକୁ ଥିବ ଜୁନାନୀ ଟାଙ୍କିରୁ କୁଚିଣ୍ଡାର ବ୍ଲକର ୧୩ ପଞ୍ଚାୟତକୁ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିବା ଜଣାଯାଏ।ଏପରି ସ୍ଥଳେ ଆରଡବ୍ଲ୍ୟୁଏସଏସର ଏଭଳି ଦୋମୁହାଁ ନୀତି ପରିବର୍ତ୍ତନ ଯୋଗୁଁ ଠିକାସଂସ୍ଥାକୁ କ୍ଷତିର ଶିକାର ହେବାକୁ ପଡିଥିବା ଠିକାସଂସ୍ଥା ପକ୍ଷରୁ କୁହାଯାଇଛି।ଏ ସମ୍ପର୍କରେ କୁଚିଣ୍ଡା ଆରଡବ୍ଲ୍ୟୁଏସଏସ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ଶତପଥିଙ୍କ ମତାମତ ନେବାରେ ବର୍ଷା ଯୋଗୁଁ କାମ ଆଗେଇ ପାରୁନଥିବା କହି ଅନ୍ୟ ବିଷୟର ଅନୁମୋଦନ ଓ ମଞ୍ଜୁରୀ ବାବଦରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରୁନାହାନ୍ତି।