ସମୃଦ୍ଧ ଗାଁ ସମୃଦ୍ଧ ସମ୍ବଲପୁର ପାଇଁ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ:ସମ୍ବଲପୁର ହେବ ବିକଶିତ ହବ-ଧର୍ମେନ୍ଦ୍ର ପ୍ରଧାନ

ନାଗରୀକଙ୍କ ମୌଳିକ ସମସ୍ୟାର ସମାଧାନ ପ୍ରଶାସନିକ କଳର ଉତ୍ତର ଦାୟିତ୍ୱ
ସମ୍ବଲପୁର: ଗାଁ ରୁ ସହର ହେବ ବିକଶିତ। କୌଣସି ନାଗରୀକଙ୍କ ମୌଳିକ ସମସ୍ୟା ଭଳି ଅଭିଯୋଗ ଆଜି ଦିନରେ ଆଉ ଗ୍ରହଣୀୟ ନୁହେଁ। ମୌଳିକ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ କଳ ଉତ୍ତରଦାୟୀ। ଏଣୁ ଏଭଳି ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ରବିବାର ସମ୍ବଲପୁର ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ “ସମୃଦ୍ଧ ଗାଁ, ସମୃଦ୍ଧ ସମ୍ବଲପୁର” ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।
ବୈଠକରେ ସମ୍ବଲପୁରର ଗ୍ରାମାଞ୍ଚଳରେ ନାଗରିକଙ୍କ ମୌଳିକ ସୁବିଧାକୁ ଗୁରୁତ୍ୱ, ସ୍ୱଚ୍ଛତା, ପାନୀୟ ଜଳ, ଜୀବନଜୀବିକାକୁ ଗୁରୁତ୍ୱ, ପ୍ରଶାସନିକ ସଂସ୍କାର ତଥା ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ଉପରେ ଆଲୋଚନା ହୋଇଥିଲା । ମନରେଗା ଯୋଜନାରେ ଶ୍ରମିକମାନଙ୍କୁ ସଶକ୍ତ କରିବା, ପିଏମ ସ୍ୱନିଧି ଯୋଜନାରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆତ୍ମନିର୍ଭର କରିବା, ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ମା’ ଭଉଣୀମାନଙ୍କ ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ କରି ସୁବ୍ୟବସ୍ଥିତ ସହ ସ୍ୱାବଲମ୍ବୀ କରିବା ଦିଗରେ ପ୍ରଶାସନିକ କଳର ପାରଦର୍ଶିତା ଆଦି ବିଭିନ୍ନ ବିଷୟରେ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।
ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ପାଖରେ ଯୋଜନାର ଅଭାବ ନାହିଁ । ଅନେକ ବିଭାଗ, ନୀତି ଓ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ହେଉଛି ।ତାହାକୁ ତ୍ୱରାନ୍ୱିତ କରିବା ପ୍ରଶାସନିକ କଳର କାମ।ଆମର ମୂଳ ଲକ୍ଷ୍ୟ ହେଉଛି ନାଗରିକଙ୍କୁ ଅଧିକରୁ ଅଧିକ ସୁବିଧା ଦେବା। ସମ୍ବଲପୁରରେ ଥିବା ସମ୍ଭାବନା, ଭିତ୍ତିଭୂମି, ଉତ୍ପାଦନ ଓ ବଜାରକୁ ଦୃଷ୍ଟିରେ ରଖି ସମ୍ବଲପୁରୀ ବ୍ରାଣ୍ଡକୁ ଆଗକୁ ନେବା ଆମର ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ ଗାଁ ଠୁ ସହର ବୁଝୁଥିବା ସମସ୍ତ ପ୍ରଶାସନିକ କଳ ର ଅଧିକାରୀ ମାନଙ୍କ ସହ ଆଲୋଚନା କରି ଦେଶ ପାଇଁ ପ୍ରଥମ ନାଗରୀକ ଓ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଶାସକ ପ୍ରଶାସକ ମିଳିତ ଭାବରେ କାର୍ଯ୍ୟ କରିବା ହେଉଛି ଗଣତାନ୍ତ୍ରିକ ସରକାରର ଉତ୍ତର ଦାୟିତ୍ୱ ବୋଲି ସ୍ପଷ୍ଟ କରିଦେଇ ସମ୍ବଲପୁରକୁ ସମୃଦ୍ଧ କରିବାକୁ ଗୁରୁତ୍ୱ ଦେଇଥିଲେ।
ଏହି ବୈଠକରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅଂଶଗ୍ରହଣ କରିଥିବା ବେଳେ ବୈଠକରେ
ଉତ୍ତରାଞ୍ଚଳ ଆଯୁକ୍ତ ସଚିନ ରାମଚନ୍ଦ୍ର ଜାଧବ, ଉତ୍ତରାଞ୍ଚଳ ଆଇଜି ହିଂମାଶୁ କୁମାର ଲାଲ୍,ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ, ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ରେହାନ କ୍ଷେତ୍ରି, ଆଇଏଏସ ଶୁଭ୍ରା ପଣ୍ଡାଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଯେଉଁ ସବୁ ସରକାରୀ ଯୋଜନା ଜନସାଧାରଣଙ୍କ ପାଇଁ ଅଛି ସେମାନେ ଯେମିତି ଏସବୁ ଯୋଜନା ରୁ ସଠିକ୍ ସୁବିଧା ପାଇପାରିବେ ସେ ସବୁକୁ ଧ୍ୟାନ ଦେବାକୁ ପଡ଼ିବ ବୋଲି ରୋକଠୋକ କହିଥିଲେ।ଭିତ୍ତିଭୂମି,ଉତ୍ପାଦନ, ବଜାରୀକରଣ ଓ ଅର୍ଥନୈତିକ କ୍ଷେତ୍ର ରେ କେମିତି ସମ୍ବଲପୁର ଅଗ୍ରଗତି କରିପାରିବ ସେ ଦିଗରେ ପ୍ରଶାସନିକ କଳ କାର୍ଯ୍ୟ କରିବାକୁ କହିଥିଲେ। ସମ୍ବଲପୁର କିଭଳି ଏକ ବିକଶିତ ହବ୍ ହେଇପାରିବ ସେପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସ ଓ ସରକାରଙ୍କ ଆଭିମୁଖ୍ୟକୁ ମନ୍ତ୍ରୀ ସାର୍ବଜନୀନ କରିବାକୁ ଏକ ପ୍ରକାର ଇସାରା ଦେଇଥିଲେ। ପୋଖରୀ ଏବଂ ଜଲାଶୟ ବିକାଶ , ବିଭିନ୍ନ ସଂଘ , ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କୁ ସୁଦୃଦ କରିବା, ସ୍ଥାନୀୟ ଉତ୍ପାଦନ ମାଧ୍ୟମରେ ଆର୍ଥିକ ବୃଦ୍ଧି , ସାଂସ୍କୃତିକ ପର୍ଯ୍ୟଟନର ଶ୍ରୀବୃଦ୍ଧି ସହିତ କୃଷି ଏବଂ ପଶୁସମ୍ପଦର ସମନ୍ୱୟ ଉପରେ ବୈଠକରେ ବିଶେଷ ଗରୁତ୍ବରୋପ କରାଯାଇଥିଲା।
ଏପରିକି ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ବ୍ୟବସାୟିକ କାର୍ଯ୍ୟକଳାପ, କୃଷି, ପଶୁପାଳନ, ବସ୍ତ୍ର ବୁଣା, ବାମ୍ବୁ କ୍ଲଷ୍ଟର ଭଳି ବିକଶିତ ହବ କରାଯାଇ ମାନବ ସମ୍ବଳ ସୃଷ୍ଟି କରାଯାଇପାରିବ ସେ ଦିଗରେ ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶାସନିକ କଳର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ।