ସଙ୍କଳ୍ପପତ୍ର ଆମ ପାଇ ଧର୍ମଗ୍ରନ୍ଥ: ଦେଇଥିବା ପ୍ରତିଶ୍ରୁତି ପୂରା କରୁଛୁ ଓ କରିବୁ: ମୁଖ୍ୟମନ୍ତ୍ରୀ


ପୁରୀ: ରାଜ୍ୟରେ ବିଜେପି ସରକାରର ୧୦୦ ଦିନ ପୂରଣ ଅବସରରେ ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମେହାନ ମାଝୀଙ୍କ ବଡ଼ ବୟାନ । ସେ କହିଛନ୍ତି, ‘ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ । ଲୋକଙ୍କ ମତ ଓ ହିତକୁ ନେଇ ସରକାର ସବୁ ବେଳେ ଚାଲିବା କଥା । ଲୋକ ବିରୋଧୀ କାର୍ଯ୍ୟ ଯୋଗୁଁ ୨୪ ବର୍ଷର ସରକାର ପତନ ଘଟିଲା । ପୂର୍ବ ସରକାର ମହାପ୍ରଭୁଙ୍କୁ ମଧ୍ୟ ଭୋଟ ରାଜନୀତିରେ ବ୍ୟବହାର କଲେ । ହେଲେ ଆମ ସରକାରର ସଂକଳ୍ପ ପତ୍ର ହେଉଛି ଧର୍ମଗ୍ରନ୍ଥ ।’
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସଂକଳ୍ପ ପତ୍ରରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରା କରିଛୁ ଓ ଆଗକୁ କରିବୁ ମଧ୍ୟ । ସରକାରର ପ୍ରଥମ ଦିନରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ସହ ରତ୍ନଭଣ୍ଡାର ଖୋଲି ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ କଲୁ । ପୂର୍ବ ସରକାର ଅଭିଯୋଗ ନଶୁଣି ନିଜ ଇଚ୍ଛାରେ କାମ କରୁଥିଲେ । ଭୁବନେଶ୍ବରରେ ଅଭିଯୋଗ ଶୁଣୁଛି, ହେଲେ ଆଗାମୀ ଦିନରେ ସବୁ ଜିଲ୍ଲାରେ ଅଭିଯୋଗ ପ୍ରକୋଷ୍ଠ କରି ଶୁଣାଣି ହେବ ।
ସେହିପରି ଶହେ ଦିନ ପୂର୍ତ୍ତିରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ପୂର୍ବ ସରକାର ଦୁର୍ନୀତି ଅଭିଯୋଗରେ କେବଳ କିରାଣିଙ୍କୁ ଦଣ୍ଡ ଦେଉଥିଲେ । ଆମ ସରକାର ଲାଞ୍ଚ ଓ ଦୁର୍ନୀତି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୫୮ ଜଣ ଦୁର୍ନୀତିଖୋର ଅଫିସରଙ୍କୁ ଗିରଫ କରାଯାଇଛି ।
ଆଜି ଶହେ ଦିନ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ରାଜ୍ୟ କ୍ୟାବିନେଟ, କେନ୍ଦ୍ରମନ୍ତ୍ରୀ, ବିଧାୟକ ଓ ସାଂସଦ ସାମିଲ ହୋଇଥିଲେ ।