ବିଶ୍ବର ପ୍ରତିଷ୍ଠାତା ଡ଼ଃ କ୍ଷୀରୋଦ ମଲ୍ଲିକ ଆଉ ନାହାନ୍ତି


ସମ୍ବଲପୁର:ସାମାଜିକ ଅନୁଷ୍ଠାନ ଭାରତ ସମନ୍ବିତ ସମାଜ କଲ୍ୟାଣ ସଂସ୍ଥା (ବିଶ୍ବ)ର ପ୍ରତିଷ୍ଠାତା ଡ଼ଃ କ୍ଷୀରୋଦ ମଲ୍ଲିକ (୬୮)ଙ୍କ ବୁଧବାର ଦିନ ଗୋଟିଏରେ ସମ୍ବଲପୁର ଦାନିପାଲି ସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି I ସେ ତାଙ୍କ ପଛରେ ପୁଅ ଦେବବ୍ରତ ଏବଂ ୩ ଝିଅଙ୍କୁ ଛାଡ଼ି ଯାଇଛନ୍ତି I ସ୍ବର୍ଗତ ମଲ୍ଲିକ ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କର ବଡ଼ଭାଇ ଅଟନ୍ତି I ୧୯୯୪ ମସିହା ଜାନୁଆରୀ ୧ ତାରିଖ ରେ ସମ୍ବଲପୁରରେ ସାମାଜିକ ସଙ୍ଗଠନ ‘ବିଶ୍ବ’ ପ୍ରତିଷ୍ଠା କରି ସମାଜରେ ଏକ ନୁଆଁ ପରିଚୟ ସୃଷ୍ଟି କରିପାଇଥିଲେ I ଏହି ସମୟରେ ସେ ହଜାର-ହଜାର ସଂଖ୍ୟାରେ ମହିଳା ଏସ୍ଏଚ୍‌ଜି ଗଠନ କରି ପ୍ରଶଂସିତ ହୋଇଥିଲେ I ତାଙ୍କ ଉଦ୍ୟମରେ ଅସହାୟ ବିଧବା, ମାନସିକ ଅନଗ୍ରସର ମହିଳାଙ୍କ ଥଇଥାନ ପାଇଁ ସ୍ଵଧାର, ଗରିବ ବିଦ୍ୟାର୍ଥୀଙ୍କ ପାଇଁ ୧୬ଟି ସ୍କୁଲ ପ୍ରତିଷ୍ଠା ହୋଇଥିଲା I ରାଜ୍ୟର ୨୨ଟି ଜିଲ୍ଲା ସହିତ ସମ୍ବଲପୁର ମାନେଶ୍ଵର ବ୍ଲକ୍‌ର ୪୦ଟି ଗାଁରେ ସ୍ଵଜଳଧାରା କାର୍ଯ୍ୟକାରୀ କରାଯାଇଥିଲା I ୨୦୧୧ ମସିହା ପର୍ଯ୍ୟନ୍ତ ‘ବିଶ୍ବ’ ବିଭିନ୍ନ ପ୍ରକାର ସରକାରୀ ଯୋଜନାରେ ସହଯୋଗୀ ସଂସ୍ଥା ରୂପେ କାର୍ଯ୍ୟ କରୁଥିଲା I୨୦୦୯ ମସିହାରେ ଓଡିଶା ସରକାର ଙ୍କ ସହ ପିପିପି ମୋଡ଼ରେ ପ୍ରଥମ ଥର ପାଇଁ ଜାନୁୟାରୀ ପହିଲାରେ ମାଲକାନଗିରି ଜିଲ୍ଲାର ମାଥିଲି ସିଏଚସିରେ ଜନନୀ ଏକ୍ସପ୍ରେସ ପ୍ରଚଳନ କରିବା ପରେ ମାଲକାନଗିରି ସମେତ କନ୍ଦମାଳ, ସୋନପୁର, ରାୟଗଡା, ବରଗଡ଼, କେନ୍ଦ୍ରାପଡ଼ା ଭଳି ବହୁତ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବାରେ ଏକ ମାଇଲଖୁଣ୍ଟର ସେବା ପ୍ରଦାନ କରିବାରେ ଭୂମିକା ନେଇଥିଲେ।ସେହି ସମୟରେ ସମ୍ବଲପୁର ଜିଲ୍ଲାର ଅନ୍ୟତମ ସମାଜସେବୀ ଡ଼ା.ରାଜାରାମ ଷଡ଼ଙ୍ଗୀ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଜନନୀ ଏକ୍ସପ୍ରେସ ପରି ଓଡ଼ିଶାର ମାଲକାନଗିରି ଜିଲ୍ଲା ର ବଣ୍ଡା ଜନଜାତିକୁ ଆଖି ଆଗରେ ରଖି ଖଇରପୁଟ ସିଏଚସି ରେ ପ୍ରଥମ ଥର ପାଇଁ ମାଗୃହ ପରିଚଳନା କରି ପରବର୍ତ୍ତୀ ସମୟରେ ବିଶ୍ୱ ଏହାକୁ ବ୍ୟାପକ କରାଇ ଓଡ଼ିଶା ମାନଚିତ୍ରକୁ ବଦଳାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।ତାଙ୍କ ସାମାଜିକ ସଙ୍ଗଠନ ବିଶ୍ୱରେ ଅନେକ ସଂଖ୍ୟାରେ ଯୁବକ-ଯୁବତୀ ରୋଜଗାର ପାଇଥିଲେ I ସ୍ବର୍ଗତ ମଲ୍ଲିକ ଅନେକ ସାଂସ୍କୃତିକ ସଙ୍ଗଠନ ଏବଂ ଯାତ୍ରା ଆଦିର ପୃଷ୍ଠପୋଷକ ମଧ୍ୟ ଥିଲେ I ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନେକ ସମ୍ମାନ ମିଳିଥିଲା I ସମ୍ବଲପୁର ସମେତ ରାଜ୍ୟରେ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଭାବରେ ଜଣାଶୁଣା ଥିଲେ । ତେବେ ପରବର୍ତ୍ତୀ କାଳରେ ଡାଲି ଦୁର୍ନୀତିରେ ଭଉଣୀ ପୂର୍ବତନମନ୍ତ୍ରୀ ପ୍ରମିଳା ମଲ୍ଲିକ ଅଭିଯୁକ୍ତ ହେବା କ୍ଷୀରୋଦ ମଲ୍ଲିକଙ୍କ ପାଇଁ ଏକ ଶକ୍ତ ଧକ୍କା ହୋଇଥିଲା I ମାଇକ୍ରୋ ଫାଇନାନ୍ସ ଋଣ ବ୍ୟବସ୍ଥା ନେଇ ‘ବିଶ୍ବ’ ଉପରେ ଇଡି ଚଢ଼ଉ ହୋଇଥିଲା । ଏହି ଘଟଣାରେ ଗିରଫ ହୋଇ ସେ ଅନେକ ଦିନ ଜେଲ୍‌ରେ ରହିଥିଲେ I ଜାମିନ ପାଇ ସମ୍ବଲପୁର ଫେରିଥିଲେ ମଧ୍ୟ ‘ବିଶ୍ବ’ର ପ୍ରଭାବ କାଳକ୍ରମେ ହ୍ରାସ ପାଇଥିଲା I ସ୍ବର୍ଗତ ମଲ୍ଲିକ ପ୍ରଥମେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ ଭାବେ ଚାକିରି କରିଥିଲେ I ଆଜି ଯାଜପୁର ଜ଼ିଲ୍ଲା ବିଞ୍ଝାରପୁର ସ୍ଥିତ ମନସଡା ପୈତୃକ ବାସଭବନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ଏଠାରେ ସୂଚନା ଯୋଗ୍ୟଯେ,ସାମାଜିକ ସେବା ନେଇ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ନାନ୍ଦ ଏବଂ ଜିତ୍ ଖେମକା ଫାଉଣ୍ଡେସନ ତରଫରୁ ଇଣ୍ଡିଆନ୍ ଏନ୍‌ଜିଓ ଆଓ୍ବାର୍ଡ- ୨୦୦୭,ପ୍ଲାନେଟ୍ ଫାଇନାନ୍ସ ଏବଂ ଆଇଏନ୍‌ଜି ବୈଶ୍ୟ ବ୍ୟାଙ୍କ ମିଳିତ ଆନୁକୂଲ୍ୟରେ ମାଇକ୍ରୋ ଇନ୍ୟୁରାସନ୍ସ ଆଓ୍ବାର୍ଡ଼ ୨୦୦୬-୦୭,ଗର୍ଭର୍ଣାନ ସେକ୍ଟରରେ ଇଣ୍ଡିଆନ୍ ସୋସାଇଟର ସମ୍ବଲପୁର ଚାପ୍ଟର ଡେଭଲପମେଣ୍ଟ ଚାପ୍ଟର ଉପରେ ଟ୍ରେନିଂ ପାଇଁ ସମ୍ମାନ,
ମାଇକ୍ରୋଫାଇନାନ୍ସ କ୍ଷେତ୍ରରେ ସିଡ଼ିବି କେୟାର ଏବଂ ମିଶନ ଶକ୍ତି ମିଳିତ ଆନୁକୂଲ୍ୟରେ ସମ୍ମାନ ପ୍ରଦାନ,ସୋସିଆଲ୍ ସର୍ଭିସ୍ ପାଇଁ ବିଶ୍ଵର ଚେୟାରମ୍ୟାନ କେ.ସି. ମଲ୍ଲିକଙ୍କୁ ସାପ୍ତାହିକ ସମ୍ବାଦପତ୍ର ‘ସମ୍ବଲଶ୍ରୀ’ ସମ୍ମାନ,ବିଶ୍ଵର ଚେୟାରମ୍ୟାନ୍ କେ.ସି. ମଲ୍ଲିକଙ୍କୁ ହ୍ୟୁମାନ ରାଇଟସ୍ ଫୋରମ ଫ୍ୟାକ୍ଟ ଫାଇଣ୍ଡିଂ ଡକ୍ୟୁମେଣ୍ଟେସନ ଏବଂ ଆଡଭୋକାସୀ ନିମନ୍ତେ ଏକ ସାପ୍ତାହିକ ସମ୍ବାଦପତ୍ର ଦ୍ବାରା ସମ୍ମାନିତ,ସୋସିଆଲ୍ ସର୍ଭିସ୍ ପାଇଁ ବିଶ୍ଵର ଚେୟାରମ୍ୟାନ କେ.ସି. ମଲ୍ଲିକଙ୍କୁ ଦୈନିକ ସମ୍ବାଦପତ୍ର ‘ଭାରତ ଦର୍ଶନ’ ଦ୍ବାରା ପୁରସ୍କୃତ Iସ୍ଵାସ୍ଥ୍ୟ, ନ୍ୟୁଟିସନ ଏବଂ ପପୁଲେସନ କ୍ଷେତ୍ରରେ ବେଷ୍ଟ ଅର୍ଗାନାଇଜେସନ ଭାବେ ‘ବିଶ୍ବ’ ସମ୍ମାନୀତ ପ୍ଲାନେଟ୍ ଫାଇନାନ୍ସ ଏବଂ ଏବିଏନ୍ ଆପ୍ରୋ ବ୍ୟାଙ୍କ ମିଳିତ ଆନୁକୂଲ୍ୟରେ ମାଇକ୍ରୋ ଇନ୍ୟୁରାସନ୍ ଆଓ୍ବାର୍ଡ଼ ୨୦୦୫ ଏବଂ ୨୦୦୬,ଇଣ୍ଟରନ୍ୟାସନାଲ ମିଡ଼ିଆ ଫାଉଣ୍ଡେସନ ଆୱାର୍ଡ଼- ୨୦୦୮ ପ୍ରଭୃତି ପୁରସ୍କାର ଓ ସମ୍ମାନର ସେ ଅଧିକାରୀ ହୋଇଥିଲେ।
ବିଶିଷ୍ଟ ସମାଜସେବୀ ତ‌ଥା ଅର୍ଥନୈତିଜ୍ଞ ଡ଼ଃ କ୍ଷୀରୋଦ ଚନ୍ଦ୍ର ମଲ୍ଲିକଙ୍କ ଜନ୍ମ ୨୬ ଅପ୍ରେଲ୍ ୧୯୫୬ ରେ ଯାଜପୁର ଜ଼ିଲ୍ଲା ବିଞ୍ଜାରପୁର ର ମନସଡା ରେ ହୋଇଥିଲା।
ତାଙ୍କ ପିତା ଙ୍କ ନାମ ପବନ ମଲ୍ଲିକ ଏବଂ ମାତା ମନ୍ଦାକିନୀ ମଲ୍ଲିକ ଥିଲେ।ଅର୍ଥନୀତିରେ ସ୍ନାତକୋତ୍ତର ସହ ମେନେଜମେଣ୍ଟରେ ମଧ୍ୟ ସ୍ନାତକ ଶିକ୍ଷା ଲାଭ କରିଥିଲେ I ନମ୍ର, ଭଦ୍ର, ଧର୍ଯ୍ୟଶୀଳ ଓ ଜ୍ଞାନୀ ବ୍ୟକ୍ତି ଥିଲେ I ସବୁ ସବୁବେଳେ ଖୁବ୍ ବ୍ୟସ୍ତ ଓ ଦୂରଦୃଷ୍ଟି ସମ୍ପନ୍ନ ମଣିଷ ଥିଲେ I ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସେ ପ୍ରବୀଣ ଥିଲେ I ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଜଣେ ଅଫିସର ସ୍ତରୀୟ ପଦବୀ ଛାଡ଼ି ସମାଜସେବା ମନବୃଦ୍ଧି ରଖିଥିବା ଶ୍ରୀ ମଲିକ ଅଳ୍ପ ଅଳ୍ପ ସମୟ ମଧ୍ଯରେ ସାରା ଭାରତର ୧୧ଟି ରାଜ୍ୟରେ ସମାଜ ପାଇଁ କାର୍ଯ୍ୟକରି ତାଙ୍କର କାର୍ଯ୍ୟଦକ୍ଷତା ଦେଖାଇଥିଲେ I ତାଙ୍କର ପ୍ରଚେଷ୍ଟାରେ ଗଠିତ ହୋଇଥିବା ସମାଜସେବା ସଂସ୍ଥା ‘ବିଶ୍ଵ’ ଯୋଗୁଁ ଅନେକ ଗରିବ, ବେକାରୀ, ଅସହାୟ, ରୋଗୀ, ପରିତ୍ୟକ୍ତ ମହିଳାମାନେ ଉପକୃତ ହୋଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ତାଙ୍କର ପ୍ରଚେଷ୍ଟା ଯୋଗୁଁ ଓଡ଼ିଶାର କିଛି ପ୍ରତିଶତ ବେକାରୀ ସମସ୍ୟା ଦୂର ହୋଇପାରିଛି।ଅନେକ ଦୁସ୍ଥ ଲୋକ ତାଙ୍କଠାରୁ ସାହାଯ୍ୟ ପାଇ ଆଜି ତାଙ୍କର ଦୁଃଖ ଭୁଲି ଯାଇଥିବା ଅନେକ ଉଦାହରଣ ଥିବା ବେଳେ ବିଶ୍ୱର ଦୁରାବସ୍ତାରେ ଅନେକ ପରିବାର ଦୁର୍ବଳ ମଧ୍ୟ୍ୟ ହୋଇ ପଡ଼ିଥିବା କାହାକୁ ଅଛପା ନାହିଁ। ତାଙ୍କର ଅକାଳ ବିୟୋଗ ଜଣେ ବିଜ୍ଞ ସମାଜସେବୀଙ୍କୁ ହରାଇଛି ଏହା ନିଃସନ୍ଦେହ।