ଗଣେଶ ବିସର୍ଜନ ବେଳେ ବୁଲିଲା ଖଣ୍ଡା, ଦୁଇ ଆହତ


ବାରିପଦା: ଗଣେଶ ବିସର୍ଜନ ଶୋଭାଯାତ୍ରାରେ ବୁଲିଲା ଖଣ୍ଡା । ଭୁଜାଲି ମାଡ଼ରେ ୨ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଶୁନ ଗଡିଆ ଅଞ୍ଚଳରେ । ଆହତ ଯୁବକ ଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ଅଜୁ ମୁଖି ଏବଂ ଚୈତନ୍ୟ ମୁଖି।
ଗତକାଲି ରାତିରେ ଶୁନ ଗଡିଆ ଅଞ୍ଚଳରେ ଗଣେଶ ଭସାଣ ଚାଲିଥିଲା । ଏହି ସମୟରେ ରାସ୍ତାରେ ଗଛ ଡାଳ ବାଜିବାରୁ କିଛି ସମୟ ମେଢ ଅଟକି ରହିଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଥିଲା । ଏହି ସମୟରେ ବାଇରେ ଆସୁଥିବା ଦୁଇ ଯୁବକ ଭିଡ଼ ଭିତରେ ପଶି ଯିବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ବାଇକ ଆରୋହୀ ଏବଂ ଗଣେଶ ମେଢ଼ ସହ ଥିବା ବ୍ୟକ୍ତିଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ପରେ ଉଗ୍ର ରୂପ ନେଇଥିଲା ଓ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା । ଖଣ୍ଡା ଓ ଭୁଜାଲିରେ ଦୁଇ ପକ୍ଷ ପରସ୍ପର ପରସ୍ପରକୁ ଆକ୍ରମଣ କରିଥିଲେ । ଉଭୟ ପକ୍ଷର ୨ଜଣ ଯୁବକ ଆହତ ହୋଇଥିଲେ ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ଥମି ଥିଲା । ଗୁରୁତର ଦୁଇ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।