Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁମ୍ଭାରୀଗାଁ ପଞ୍ଚାୟତ ରାସ୍ତା ପାଲଟିଛି ମରଣଯନ୍ତା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥିବା ବେଳେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ଅନେକ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ସେଥି ମଧ୍ୟରୁ କୁମ୍ଭାରୀଗାଁ ପଞ୍ଚାୟତ ଅନ୍ୟତମ। ଏଠାରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ୧୧ ଗୋଟି ୱାର୍ଡ଼କୁ ନେଇ ପଞ୍ଚାୟତ ଗଠିତ ହୋଇଥିବାବେଳେ ଏହାର ଜନସଂଖ୍ୟା ପ୍ରାୟ ୫୦୦୦ରୁ ଅଧିକ। ଏକାଧିକ ଗ୍ରାମକୁ ଆଜି ପର୍ଯ୍ୟନ୍ତ ସଡ଼କ ସଂଯୋଗ ହୋଇ ନଥିବାବେଳେ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଝିଞ୍ଜିରିଗୁଡ଼ା ଠାରୁ କାଟିଙ୍ଗିଆକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଗୋବରକୁଟି ଛକରୁ ପ୍ରାୟ ଦୁଇ କିମି ଭିତରକୁ ପଞ୍ଚାୟତ କାର୍ଯ୍ୟାଳୟ ରହିଥିବାବେଳେ ସେହି ଦୁଇ କିମି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ରାସ୍ତା ସାରା ଖାଲଖମା ଭର୍ତ୍ତି ହୋଇ ବର୍ଷା ହେଲେ ପାଣି କାଦୁଅରେ ପଚ ପଚ ହେଉଛି। ସେହି ରାସ୍ତାରେ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ବର୍ଷା ହେଲେ କାଦୁଅ ଭରା ରାସ୍ତା ଦେଇ ଗର୍ଭବତୀ ଓ ରୋଗୀମାନଙ୍କୁ ରାତି ଅଧରେ ଜରୁରୀକାଳୀନ ସେବା ପାଇଁ ସମ୍ପର୍କୀୟମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବାରେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି। ଦୈନନ୍ଦିନ ଏହି ରାସ୍ତା ଦେଇ ସ୍କୁଲ କଲେଜ ପିଲା ଯିବା ଆସିବା କରନ୍ତି। ରାସ୍ତା ମଝିରେ ଖାଲ ଢିପ ଥିବା ବେଳେ ଅଧିକାଂଶ ଜାଗାରେ ପିଚୁ ସବୁ ବାହାରି କାଦୁଅ ସର୍ ସର୍ ହୋଇ ରହିଛି। ସେହି ରାସ୍ତାରେ ଯାନ ବାହନ ଚଳାଚଳ ହୋଇ ପାରୁନାହିଁ। କୌଣସି ଜରୁରୀ ପରିସ୍ଥିତିରେ ଯିବାକୁ ହେଲେ ଦୁର୍ଘଟଣାର ଶିକାର ହେଉଥିବା ନଜିର ରହିଛି। ବର୍ଷା ଦିନରେ ପାଣି କାଦୁଅରେ ପିଡିଏସ ଚାଉଳ ଗାଡ଼ି ଦବି ଯାଇ ଠିକ୍ ସମୟରେ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ।ଦୁର୍ଗମ ଅଞ୍ଚଳରେ ଏଭଳି ସମସ୍ୟାରେ ଲୋକେ ରହି ଆସୁଥିଲେ ସୁଦ୍ଧା ସମାଧାନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହି ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ସବୁଦିନିଆ ଭଲ ରାସ୍ତା ନଥିବାରୁ ଲୋକେ ଏସବୁ ସରକାରୀ ଯୋଜନାର ମୌଳିକ ସୁବିଧାରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି। ଏଠାକୁ ବ୍ଲକରୁ ଆରମ୍ଭ କରି ଜିଲା ପ୍ରଶାସନର ବଡ଼ ବଡ଼ ଅଧିକାରୀମାନେ ଆସନ୍ତି, ହେଲେ ଗ୍ରାମବାସୀ ମାନେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କାହାରି ନଜର ରାସ୍ତା ଉପରେ ପଡ଼ୁନାହିଁ। ପ୍ରଶାସନ ଜାଣି ଶୁଣି ମଧ୍ୟ ଚୁପ୍ ରହିଥିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ସରପଞ୍ଚ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବି କେହି ଗୁରୁତ୍ବ ଦେଉ ନଥିବା କହିଛନ୍ତି। ଏଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପୂର୍ତ୍ତ ବିଭାଗ ରାସ୍ତାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ