ପୁଣି ଟ୍ରେନ ଦୁର୍ଘଟଣା: ଟ୍ରାକରୁ ଖସିଲା ୫ ବଗି


କୋଲକତା: ପୁଣି ଲାଇନଚ୍ୟୁତ ହେଲା ଆଉ ଏକ ମାଲବାହୀ ଟ୍ରେନ୍ । ଆଜି ସକାଳୁ ପଶ୍ଚିମବଙ୍ଗ ଜଳପାଇଗୁଡିର ମୟନାଗୁଡି ଷ୍ଟେସନରେ ଦୁର୍ଘଟଣା ଘଟିଛି । ମାଲବାହୀ ଟ୍ରେନର ୫ ବଗି ଲାଇନଚ୍ୟୁତ ହୋଇଛି ।

ସୂଚନାଯୋଗ୍ୟ, ଆଜି ସକାଳ ସାଢ଼େ ୬ଟାରେ ଆଲିପୁରଦାର ଡିଭିଜନର ନୂଆ ମୟନାଗୁଡି ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍‌ର ୫ଟି ଓ୍ୱାଗନ୍‌ ଲାଇନ୍‌ଚ୍ୟୁତ ହୋଇଛି । ଏହି କାରଣରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନ୍ୟ ଟ୍ରେନ ଗୁଡିକ ଷ୍ଟେସନରେ ଅଟକି ରହିଛି ।

ଏହି ଦୁର୍ଘଟଣାରେ ଷ୍ଟେସନର ଜଳ ଯୋଗାଣ ପାଇପ ଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କାମ ଆରମ୍ଭ କରିଛନ୍ତି ।

ଏହି ରୁଟ୍‌ ଦେଇ ଯାଉଥିବା ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ଟ୍ରେନ୍‌ର ଗତିକୁ ପରିବର୍ତ୍ତନ କରାଯାଇଛି । ଶୀଘ୍ର ମରାମତି କାମ ସରିବ ବୋଲି ରେଳ ଅଧିକାରୀମାନେ କହିଛନ୍ତି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ ।