ଟିପିଡବ୍ଲ୍ୟୁଓଡିଏଲର ଭିଜିଲାନ୍ସ ବିଭାଗ ପକ୍ଷରୁ ବିଦ୍ୟୁତ୍ ଚୋରି ପାଇଁ କାର୍ଯ୍ୟାନୁଷ୍ଠାନ


ସମ୍ବଲପୁର: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରକ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ୍ ଏହାର ବିତରଣ ଅଞ୍ଚଳରେ ବିଦ୍ୟୁତ୍ ଚୋରିକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷପ ହାତକୁ ନେଇଅଛି I ଅନେକ ସମୟରେ ଗ୍ରାହକ ତଥା ଜନସାଧାରଣଙ୍କୁ ସମସ୍ତ ମାଧ୍ୟମରେ ଅନୁରୋଧ କରିବା ସତ୍ତ୍ୱେ ମଧ୍ୟ କିଛି ଅସାଧୁ ଲୋକଙ୍କ ଦ୍ୱାରା ବିଭିନ୍ନ ଉପାୟରେ ବିଦ୍ୟୁତ୍ ଚୋରି କରାଯାଉଅଛି I ଯାହାର ପ୍ରଭାବ ଅନ୍ୟ ଗ୍ରାହକଙ୍କ ଉପରେ ପଡୁଅଛି I ଟିପିଡବ୍ଲ୍ୟୁଓଡିଏଲ୍ ବିଦ୍ୟୁତ୍ ଚୋରି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ୱନ ପୂର୍ବକ ଗତକାଲି ତା. ୨୩.୧୦.୨୦୨୪ ରିଖ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ବ୍ଲକର ତେଲେପାଲି ଅଞ୍ଚଳରେ ଏକ ଚଢାଉ କରାଯାଇଥିଲା I ସ୍ଥାନୀୟ ପୋଲିସ ସହାୟତାରେ କମ୍ପାନୀର ଭିଜିଲାନ୍ସ ଦଳ ଦ୍ୱାରା ଏହି ଚଢ଼ାଉ କରାଯାଇ ଉଲ୍ଲଙ୍ଘନକାରୀଙ୍କ ଠାରୁ ବେଆଇନ ହୁକିଂ ତାର ସହିତ ୩୫ ଟି ହିଟର୍ ଜବତ କରାଯାଅଛି I ୨୬ କିଲୋୱାଟ୍ ଲୋଡ ବିଦ୍ୟୁତ୍ ଚୋରି ପାଇଁ ୧୫ ଜଣ ଗ୍ରାହକଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ସେମାନଙ୍କ ବିରୋଧରେ ଜରିମାନା ଲଗାଯାଇଅଛି I ପ୍ରକାଶଥାଉ ଯେ, ଆର୍ଥିକ ବର୍ଷ ୨୦୨୧-୨୨ ରେ ବିଦ୍ୟୁତ୍ ଚୋରିକୁ ନେଇ ପ୍ରାୟ ୨୬ ହଜାର ଅଭିଯୋଗ ଦାଖଲ କରାଯାଇଥିଲା I ଯାହାକି ୫୭ ମେଗାୱାଟ ବିଦ୍ୟୁତ୍ ଚୋରି ରୋକିବାରେ ସହାୟକ ହୋଇଛି । ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ଟିପିଡବ୍ଲ୍ୟୁଓଡିଏଲ୍ ୨୭ ହଜାର ୪୭୫ ଟି ମାମଲା ପଞ୍ଜିକୃତ କରି ୮୦ ମେଗାୱାଟ ବିଦ୍ୟୁତ୍ ଚୋରିକୁ ରୋକିପାରିଛି I ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ, ବିଦ୍ୟୁତ୍ ଚୋରି ସମ୍ବନ୍ଧୀୟ ପ୍ରାୟ ୪୦ ହାଜର ୩୮୧ ଟି ଅଭିଯୋଗ ପଞ୍ଜିକୃତ କରି କମ୍ପାନୀ ୧୩୪ ମେଗାୱାଟରୁ ଅଧିକ ବିଦ୍ୟୁତ୍ ଚୋରିକୁ ରୋକିପାରିଛି I