Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହର ଭିତରେ କୁତ୍ରିମ ହ୍ରଦ: ନିଦ ଭାଙ୍ଗୁନି ପୂର୍ତ୍ତ ବିଭାଗର,କୁମ୍ଭକର୍ଣ୍ଣ ନିଦ୍ରାରେ ମହାନଗର ନିଗମ

ସମ୍ବଲପୁର:ସମ୍ବଲପୁର ସହରରେ ସାଧାରଣ ସମସ୍ୟା ସମାଧାନ ବି ଦିନକୁ ଦିନ ଦୁର୍ଲଭ ବ୍ୟାପାର ହୋଇଗଲାଣି l ବିଗତ ଦିନରେ ଯେଉଁ ଅଂଚଳ ରେ ପ୍ରାୟତଃ ପାଣି ଜମିରହିବା ଦେଖିବାକୁ ମିଳୁନଥିଲା, ସେଠି ଆଜି କୁତ୍ରିମ ହ୍ରଦ ଦେଖିବାକୁ ମିଳୁଛି।ପୂର୍ତ୍ତ ବିଭାଗ ଦ୍ୱାରା ଜେଲ ଛକ ରୁ ଧନୁପାଲି ଛକ ରାସ୍ତାକୁ ଦୋହରୀକରଣ କାର୍ଯ୍ୟ ସମୟରେ ଚାରଭାଟି ପାଖ ରାସ୍ତାରେ ନାଳ ପାଣି ନିଷ୍କାସନ ପାଇଁ ଥିବା ଛୋଟିଆ ନାଲା କୁ ବନ୍ଦ କରି ଦିଆଯାଇଥିଲା, ଯଦ୍ୱାରା ଗୋଟିଏ ପାର୍ଶ୍ଵ ର ପାଣି ଆଉ ନିଷ୍କାସନ ହୋଇପାରିଲା ନାହିଁ l ଦିନକୁ ଦିନ ଅବସ୍ଥା ଏତେ ସାଙ୍ଘାତିକ ହେଲାଣି ଯେ ସୃଷ୍ଟି ହେଲାଣି ଏକ ବିରାଟ କୁତ୍ରିମ ହ୍ରଦ l ସ୍ଥିତି ଏପରି ହେଲାଣି ଯେ କିଛି ଘର ଓ ଦୋକାନ ଘର କୁ ନର୍ଦମା ପାଣି ପଶିବା ସହ କିଛି ପରିବାର ଘର ଛାଡି ବାକୁ ବାଧ୍ୟ ହେବାକୁ ପଡିବା ଅବସ୍ଥା ସୃଷ୍ଟି ହେଲାଣି।
ଏହି ବିଷୟରେ ବାରମ୍ବାର ଜିଲ୍ଲାପାଳ, ମହାନଗର ନିଗମ କମିଶନର, ପୂର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜିଯାଏ ବିଶେଷ କିଛି ସୁଫଳ ମିଳିନଥିବା ଦୁର୍ଭାଗ୍ୟ ର ବିଷୟ ବୋଲି ସାମାଜିକ ଅନୁଷ୍ଠାନ ସକ୍ଷମ ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତି ରେ ପ୍ରକାଶ କହିଛନ୍ତି l ଯଦି ପୂର୍ତ୍ତ ବିଭାଗ ପକ୍ଷରୁ ସେହି ପୁରାତନ ନାଲା କୁ ବନ୍ଦ କରାନଯାଇଥାନ୍ତା ଏବଂ ରାସ୍ତା ର ଅପର ପାର୍ଶ୍ଵ ରେ ସେହି ହିସାବରେ ନୂତନ ଡ୍ରେନ ନିର୍ମାଣ ହୋଇଥାନ୍ତା ତାହେଲେ ଆଜି ଯେଉଁ ବିଷମ ସଙ୍କଟ ସୃଷ୍ଟି ହୋଇଛି ତାହା ହୁଏତ ହୋଇନଥାନ୍ତା l
କିଛି ମାସ ପୂର୍ବରୁ ଲକ୍ଷାଧିକ ଅର୍ଥ ଅଟକଳ ରେ ହୋମ ପାଇପ ସଂଯୋଗ କରି ନର୍ଦମା ପାଣି ନିଷ୍କାସନ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ତାହା ଅଧପନ୍ତରିଆ କରି ପକେଇ ରଖାଯାଇଛି l ଲୋକଙ୍କ ପାଇଁ ପ୍ରଶାସନ, ସହରବାସୀ ଙ୍କୁ ସେବା ପ୍ରଦାନ ପାଇଁ ମହାନଗର ନିଗମ ରହିଛି।କିନ୍ତୁ ବାରମ୍ବାର ଅଭିଯୋଗ କଲାପରେ ବି ଲୋକଙ୍କର ସାଧାରଣ ସମସ୍ୟାର ସମାଧାନ ପାଇଁ ମହାନଗର ନିଗମ କର୍ତ୍ତୃପକ୍ଷ ବର୍ଷ ବର୍ଷ ଯାଏ କୌଣସି ପଦକ୍ଷେପ ନନେବା ପରିତାପର ବିଷୟ ହୋଇଛି।
ଚାରଭାଟି ଅଂଚଳରେ ସୃଷ୍ଟି ହୋଇଥିବା ଏହି ସାଙ୍ଘାତିକ ପରିସ୍ଥିତି ର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ପାଣିଗ୍ରାହୀ ପୁଣିଥରେ ଜିଲ୍ଲା ପ୍ରଶାସନ ଙ୍କ ପାଖରେ ଦାବି ଜଣାଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ