ମୁହଁ ଖୋଲିଲେ ବିଧାୟକ ସାରଦା, କହିଲେ ରାଉରକେଲା ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ


ସମ୍ବଲପୁର:ରାଉରକେଲା ଅଶାନ୍ତ। ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ହେବାକୁ ବସିଲାଣି। ଏଭଳି ଲମ୍ବା ଅଭିଯୋଗ ଆଣି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଆଜି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି।
ସହରରେ ଗତ କିଛି ମଧ୍ଯରେ ଦୁଇଟି ନାବାଳିକାଙ୍କୁ ଗଣଦୁଷ୍କର୍ମ, ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ, ପୋଲିସ ମହିଳା କନେଷ୍ଟବଳଙ୍କୁ ଅସଦାଚରଣ ପରେ ଛେଣ୍ଡ ପେଟ୍ରୋଲ ପଛପଟରେ ଥିବା କଳ୍ପତରୁ ଆଶ୍ରମ ରାସ୍ତାରେ ଜଣେ ଯୁବକକୁ ହତ୍ଯା ପରେ ଆଜି ରାଉରକେଲା ବିଜେଡି ପକ୍ଷରୁ ପାନ୍ଥନିବାସ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବା ସହିତ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତଥା ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ରାଉରକେଲା ସହରରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହେବା ସହିତ ଚୋରୀ, ଡକାୟତି, ଡ୍ରଗ୍ସ କାରବାର, ଅସାମାଜିକଙ୍କ ଦୌରାତ୍ମ୍ଯ, ବେଆଇନ ସ୍କ୍ରାପ୍ ଓ ସଟ୍ଟା ବେପାର ବୃଦ୍ଧି ପାଇଛି। ସପ୍ତାହରେ ଦୁଇଟି ଗଣଦୁଷ୍କର୍ମ ଓ ନରହତ୍ୟା ଭଳି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଜଣେ ମହିଳା କନେଷ୍ଟବଳ ଥାନାରେ ଥାନା ଅଧିକାରୀଙ୍କ ଦ୍ବାରା ଅସଦାଚରଣର ଶିକାର ହେବା ଲୋକଲୋଚନକୁ ଆସିଛି। ରାଉରକେଲା ସହରର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁନିୟନ୍ତ୍ରିତ ଓ ସୁବ୍ଯବସ୍ଥିତ କରିବା ଦିଗରେ ମୁଖ୍ୟମନ୍ତ୍ରୀ ବିହିତ ପଦକ୍ଷେପ ନେବାକୁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏହି ସ୍ମାରକପତ୍ରରେ ଦାବୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗତ ୨୧ ତାରିଖରେ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମ ନିକଟବର୍ତ୍ତୀ ନିଛାଟିଆ ସ୍ଥାନରେ ଜଣେ ନାବାଳିକାକୁ, ଦୁଇ ଜଣ ଯୁବକ ଗଣଦୁଷ୍କର୍ମ ଘଟଣା ପରେ ୨୪ ତାରିଖରେ ରଘୁନାଥପାଲ୍ଲୀ ଥାନା ଅଞ୍ଚଳର ଜଣେ ନାବାଳିକାକୁ ୫ ଜଣ ଯୁବକ ପାର୍କ ମଧ୍ଯରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ପରେ ଗତକାଲି ୨୫ ତାରିଖରେ ଛେଣ୍ଡ ପେଟ୍ରୋଲ ପମ୍ପ ପଛ ପଟେ ଜଣେ ବ୍ଯକ୍ତି ହତ୍ଯାର ଶିକାର ହୋଇଥିଲା ବେଳେ ଆଉ ଜଣେ ଆକ୍ରମଣର ଶିକାର ହୋଇ ହସ୍ପିଟାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ସ୍ମାରକପତ୍ରରେ ଅବୈଧ କଣ୍ଟା, ସଟ୍ଟା, ଡ୍ରଗ୍ସ, ଗଞ୍ଜେଇ, ମଦ କାରବାର ପାଇଁ ଚୋରି ବୃଦ୍ଧି ପାଇବାରେ ଲାଗିଛି ବୋଲି ଅଭିଯୋଗ କରାଯାଇଛି। ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ (ଠିପି ବନ୍ଦ ମଦ ଦୋକାନ) ସମ୍ମୁଖ ରାଜରାସ୍ତାରେ ମଦ୍ଯପମାନେ ମଦ୍ଯପାନ କରି ସାଧାରଣ ଲୋକଙ୍କ ସୁରକ୍ଷିତ ଯାତାୟତରେ ବାଧା ସୃଷ୍ଟି କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ସହରର ଆଇନଶୃଙ୍ଖଳା ପରିସ୍ଥିତିକୁ ସୁବ୍ଯବସ୍ଥିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟକ ଏହି ସ୍ମାରକପତ୍ରରେ ଦାବୀ କରିଛନ୍ତି। ଅନ୍ଯଥା ରାଉରକେଲାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଜୁ ଜନତା ଦଳ ଆନ୍ଦୋଳନାତ୍ମକ କାର୍ଯ୍ଯପନ୍ଥା ଅବଲମ୍ବନ କରିବ ବୋଲି ଏହି ସ୍ମାରକପତ୍ରରେ ଚେତାବନୀ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସମେତ ଜିଲ୍ଲା ବିଜେଡି ସଭାପତି ହାଲୁ ମୁଣ୍ଡାରୀ, ନଗର ସଭାପତି ଗଗନ ପଣ୍ଡା, ଲୋକସମ୍ପର୍କ ଅଧିକାରୀ ଜୟନ୍ତ କୁମାର ମିଶ୍ର, ବରିଷ୍ଠ ନେତା ଆନନ୍ଦ ଚନ୍ଦ୍ର ମହାନ୍ତି, ବୀରେନ ସେନାପତି, ପ୍ରଶାନ୍ତ ସେଠି, ବାବୁଲି ରାଉତ, ସମ୍ବିତ ଛୋଟରାୟ, ଜୋସ୍ନା ନାୟକ, ରଶ୍ମିବାଳା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।