ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ; ବାବୁ, ମନ୍ତ୍ରୀ ଚଢିବେ ହାଇବ୍ରିଡ୍‌ ଗାଡି


ଭୁବନେଶ୍ବର: ଏଣିକି ହାଇବ୍ରିଡ୍‌ ଗାଡି ଚଢିବେ ବାବୁ ଓ ମନ୍ତ୍ରୀ। ଏ ନେଇ ପରିବହନ କମିସନରଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ। ମନ୍ତ୍ରୀ, ସଚିବ ଓ ଅନ୍ୟ ବଡ଼ ଅଧିକାରୀମାନଙ୍କୁ ହାଇବ୍ରିଡ୍ ଗାଡ଼ି ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଏ ନେଇ ଅର୍ଥ ବିଭାଗର ପ୍ରସ୍ତାବକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଟେକ୍ନିକାଲ୍ କମିଟି ନିକଟରେ ଏହି ପ୍ରସ୍ତାବ ରଖିବା ସହ ବଜାରରେ କେଉଁ କେଉଁ ହାଇବ୍ରିଡ୍ ଗାଡ଼ି ଉପଲବ୍ଧ ହେଉଛି ଏ ନେଇ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି ।

ରାଜ୍ୟ ସରକାର ହାଇବ୍ରିଡ୍ ଗାଡ଼ି କିଣିବାକୁ ଅନୁମତି ଦେବା ପରେ ପ୍ରକ୍ରିିୟା ଆରମ୍ଭ ହୋଇଛି । ମନ୍ତ୍ରୀମାନଙ୍କୁ ଯେଉଁ ଗାଡ଼ି ଦିଆଯିବ, ତା’ର ସର୍ବୋଚ୍ଚ ମୂଲ୍ୟ ୨୫ ଲକ୍ଷ ଟଙ୍କା ରହିଛି । ମୁଖ୍ୟ ଶାସନ ସଚିବ ଓ ସମାନ ପାହ୍ୟାର ଅଧିକାରୀଙ୍କୁ ମଧ୍ୟ ୨୫ ଲକ୍ଷ ଟଙ୍କାର ଗାଡ଼ି ଦିଆଯିବ । ଟୟୋଟା ଇନୋଭା, ଟାଟା ହେକ୍ସା, ମହିନ୍ଦ୍ରା ଏସ୍ୟୁଭି-୫୦୦ ଏହି କାଟାଗୋରୀରେ ରହିଛି । ସେହିପରି ସଚିବ, ସଚିବ ପାହ୍ୟାର ଅଧିକାରୀ, ଜିଲ୍ଲା ଜଜ, ଜିଲ୍ଲାପାଳ, ଏସପିଙ୍କୁ ଯେଉଁ ଗାଡ଼ି ଦିଆଯିବ, ତା’ର ସର୍ବୋଚ୍ଚ ମୂଲ୍ୟ ରହିଛି ୧୫ ଲକ୍ଷ ଟଙ୍କା ।