ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ମାମଲା ରୁଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ


ବେଙ୍ଗାଲୁରୁ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ରୁଜୁ ହେବ ମାମଲା । ଏଥିପାଇଁ ବେଙ୍ଗାଲୁରୁର ଏକ କୋର୍ଟ ଦେଇଛନ୍ତି ଆଦେଶ । ନିର୍ବାଚନୀ ବଣ୍ଡ ଜରିଆରେ ଜୋରଜବରଦସ୍ତି ଚାନ୍ଦା ଆଦାୟ ଅଭିଯୋଗରେ ଏହି ମାମଲା ରୁଜୁ ହେବ ।

ଜନାଧିକାର ସଂଘର୍ଷ ସଙ୍ଗଠନ ପକ୍ଷରୁ ଏନେଇ ସୀତାରମଣ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ଅଭିଯୋଗ ହୋଇଥିଲା । ବେଙ୍ଗାଲୁରୁ ସ୍ଥିତ ଜନପ୍ରତିନିଧିର ବିଶେଷ ଅଦାଲତ ସୀତାରମଣଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ତିଳକ ନଗର ପୋଲିସ୍‌ ଏବେ ସୀତାରମଣ ଓ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରିବ ।

ରାଜନୀତିକ ଦଳମାନଙ୍କୁ ଅର୍ଥ ଦାନ କରିବାର ଏକ ମାଧ୍ୟମ ହେଉଛି ନିର୍ବାଚନୀ ବଣ୍ଡ । କେନ୍ଦ୍ର ସରକାର ୨୦୧୭ରେ ନିର୍ବାଚନ ବଣ୍ଡ ସ୍କିମ୍ ଘୋଷଣା କରିଥିଲେ । ଏହି ସ୍କିମ୍ ୨୯ ଜାନୁୟାରୀ ୨୦୧୮ରେ ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇଥିଲା ।

ଏହି ବଣ୍ଡକୁ ଭାରତର ଯେକୌଣସି ନାଗରିକ କିମ୍ବା କମ୍ପାନୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିଲେକ୍ଟ ଶାଖାରୁ କିଣି ପାରିବେ ଏବଂ ନିଜ ପସନ୍ଦର କୌଣସି ରାଜନୈତିକ ଦଳକୁ ଦାନ କରିପାରିବେ । ଏଥିରେ କୌଣସି ବ୍ୟକ୍ତି କିମ୍ବା କମ୍ପାନୀର ନାମ ପ୍ରକାଶ କରାଯିବ ନାହିଁ, ଅର୍ଥାତ୍ ଏହା ଗୋପନ ରହିବ ।

କିନ୍ତୁ ବିଭିନ୍ନ ରାଜନୀତିକ ଦଳ ଓ କର୍ପୋରେଟ ଡୋନର ବା ଚାନ୍ଦା ଦାତାଙ୍କ ମଧ୍ୟରେ ନିର୍ବାଚନୀ ବଣ୍ଡ ଜରିଆରେ ଅନୈତିକ ଡିଲ୍‌ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ବିଶେଷ କରି କ୍ଷମତାରେ ଥିବା ଦଳଗୁଡ଼ିକ ବଡ଼ବଡ଼ ବ୍ୟବସାୟୀ ଓ ସଂସ୍ଥାଙ୍କଠାରୁ ଚାନ୍ଦା ନିଇ ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଥିଲା ।

ସୁପ୍ରିମକୋର୍ଟ ଗତ ଫେବୃଆରୀ ୧୫ରେ ଏହାକୁ ଅସାମ୍ବିଧାନିକ କହିବା ସହ ତୁରନ୍ତ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାର ତଦନ୍ତ ଏସଆଇଟି ଦ୍ୱାରା କରିବାକୁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । କିନ୍ତୁ ଏହାକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରି ଦେଇଥିଲେ ।

ଆବେଦନକାରୀ ସାଧାରଣ ଆଇନ ବ୍ୟବସ୍ଥା ଅନୁଯାୟୀ ନିଜର ଅଭିଯୋଗ ଦାଖଲ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଯଦି ସେମାନଙ୍କ ଅଭିଯୋଗର ତଦନ୍ତ ନ ହେବ କିମ୍ବା ରିପୋର୍ଟ ଦାଖଲ କରା ନଯିବ, ତା’ହେଲେ ଆବେଦନକାରୀ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଆସିପାରିବେ ବୋଲି କୋର୍ଟ କହିଥିଲେ ।