ବ୍ୟବସାୟୀଙ୍କୁ ମାଡ଼ ଘଟଣା: ରାଜନଗର ଥାନା ଏଏସଆଇ ନିଲମ୍ବିତ


ରାଜନଗର: ଦୋକାନୀଙ୍କୁ ମାଡ଼ ମାରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଏଏସ୍‌ଆଇ ନରେନ୍ଦ୍ର ସିଂହ ନିଲମ୍ବିତ । ଏହା ସହିତ ଉକ୍ତ ଦୋକାନୀଙ୍କ ଅଭିଯୋଗ ଆଧାରରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି ।

ଅଭିଯୋଗକାରୀ ଦୋକାନୀଙ୍କ ନାଁ ପ୍ରମୋଦ ବିଶ୍ୱାଳ । ସେ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ଗତ ଶନିବାର (୨୮ ତାରିଖ) ରାତି ସାଢ଼େ ୯ଟା ବେଳେ ସେ ହଂସିଣାଗୁଳା ସ୍ଥିତ ତାଙ୍କ ଦୋକାନରେ ଧୂପ ଦେଉଥିବା ବେଳେ ଏକ ପୋଲିସ ଭ୍ୟାନ ଆସି ପହଞ୍ଚିଥିଲେ । ତା’ ମଧ୍ୟରୁ ନରେନ୍ଦ୍ର ସିଂହ ଓହ୍ଲାଇ ଆସି ତାଙ୍କୁ ଏହା ଅଦ୍ୱୈତ ବିଶ୍ୱାଳଙ୍କ ଦୋକାନ କି ବୋଲି ପଚାରିଥିଲେ । ସେ ମନା କରିବାକୁ ଅଦ୍ୱୈତ ବିଶ୍ୱାଳଙ୍କ ଘର କେଉଁଟା ବୋଲି ପଚାରିଥିଲେ । ସେ ତାଙ୍କ ଘର ଠିକଣା କହିବା ପରେ ପୋଲିସ ଗାଡ଼ି ସେଠାରୁ ପଳାଇ ଯାଇଥିଲା । କିଛି ସମୟ ପରେ ପୋଲିସ ଗାଡ଼ି ଆସି ପୁଣି ତାଙ୍କ ଦୋକାନ ଆଗରେ ଅଟକି ଥିଲା । ନରେନ୍ଦ୍ର ସିଂହ ଗାଡ଼ିରୁ ଓହ୍ଲାଇ ମିଛ କହୁଛୁ କହି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ବାଡ଼ିରେ ପିଟିଥିଲେ ଓ ଗୋଇଠା ମାରିଥିଲେ । ସେ ତଳେ ଗଡ଼ି ଚିତ୍କାର କରିବାରୁ ସେମାନେ (ପୋଲିସ) ସେଠାରୁ ପଳାଇଥିଲା ।